‘ଆର୍‌ଆର୍‌ଆର୍‌’କୁ ନେଇ ବିବାଦ, ଏସ୍‌ଏସ୍ ରାଜାମୌଲିଙ୍କୁ ଧମକ!

0

ହାଇଦ୍ରାବାଦ: ବହୁବଳୀ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ଅପ୍‌କମିଂ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ନେଇ ତେଜିଲା ବିବାଦ । ମିଳିଲା ରାଜାମୌଲିଙ୍କୁ ଧମକ । ନିକଟରେ ଏହି ଫିଲ୍ମର ତେଲୁଗୁ ସୁପରଷ୍ଟାର ଜୁନିଅର ଏନ୍‌ଟିଆର୍‌ଙ୍କ ଫାଷ୍ଟ ଲୁକ୍ ରିଲିଜ ହୋଇଛି । ଏଥିରେ ସେ କୋମାରାମ ଭୀମ ଭୂମିକାରେ ନଜର ଆସିବେ । ତେବେ ଫିଲ୍ମରେ ତାଙ୍କ ଲୁକ୍ ନେଇ ବିବାଦ ମୁଣ୍ଡ ଟେକିଛି । ତାଙ୍କ ଲୁକ୍‌କୁ ବିରୋଧ କରାଯାଇଛି । କ୍ରାନ୍ତିକାରୀ ଆଦିବାସୀ ନେତା କୋମାରାମ ଭୀମଙ୍କ ପରିବାର ଲୋକେ ବିରୋଧ କରିଛନ୍ତି ।

କୋମାରାମ ଭୀମଙ୍କ ନାତି ସୋନରାଓ, ଜୁନିଅର ଏନ୍‌ଟିଆର୍‌ଙ୍କ ମୁସ୍‌ଲିମ ଲୁକ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି । କୋମାରାମ ଭୀମ ସର୍ବଦା ଆଦିବାସୀଙ୍କ ପାଇଁ ଠିଆ ହୋଇଥିଲେ । ସେ ତାଙ୍କ ପାଇଁ ଲଢ଼ିଛନ୍ତି । କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟ ସଦସ୍ୟ ରୂପେ ତାଙ୍କୁ ପ୍ରତିନିଧିତ୍ୱ କରିବା ଭୁଲ୍ ଅଟେ ବୋଲି ସେ କହିଛନ୍ତି । ଭୀମ କେବେବି ମୁସଲିମ ଭଳି ଦେଖାଯାଉନଥିଲେ । ଆମ ହିରୋକୁ ଭୁଲ୍ ଢ଼ଙ୍ଗରେ ପରଦାରେ ଦର୍ଶାଇବା ଆଦୌ ଗ୍ରହଣୀୟ ନୁହେଁ । ଏଥିସହ ସେ ରାଜାମୌଲିଙ୍କୁ ଫିଲ୍ମରୁ ଏହି ଦୃଶ୍ୟକୁ ହଟାଇବା ପାଇଁ ଦାବି କରିଛନ୍ତି । ଯଦି ଦାବି ପୁରଣ ନହୁଏ ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି ସେ ଧମକ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ବାହୁବଳୀ ଫେମ୍ ଏସ୍‌ଏସ୍ ରାଜାମୌଲିଙ୍କ ଫିଲ୍ମ ଆର୍‌ଆର୍‌ଆର୍‌ରେ ଜୁନିଅର ଏନ୍‌ଟିଆର୍ କୋମାରାମ ଭୀମ ଭୂମିକାରେ ନଜର ଆସିବେ । ତାଙ୍କ ସହ ରାମଚରଣଙ୍କୁ ମଧ୍ୟ ଲିଡ୍ ରୋଲରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ରାମଚରଣ, ଅଲ୍ଲୁରୀ ସୀତାରାମ ରାଜୁ ଭୂମିକାରେ ନଜର ଆସିବେ । କେବଳ ସେତିକି ନୁହେଁ ଅନ୍ୟ ପ୍ରମୁଖ ଭୂମିକାରେ ଆଲିଆ ଭଟ୍ଟ ଓ ଅଜୟ ଦେବଗନ୍‌ଙ୍କୁ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ ।

Leave A Reply

Your email address will not be published.