କମୁଛି ଲଦାଖ ଚାପ, ଚଳିତବର୍ଷ ଭାରତ ଗସ୍ତରେ ଆସିପାରନ୍ତି ସି ଜିନପିଙ୍ଗ

0

ନୂଆଦିଲ୍ଲୀ: ବର୍ଷେ ହେଲା ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ସାମାନ୍ୟ ଥମିଛି । ଦୁଇ ଦେଶର ସେନା ସୀମାର ପଛକୁ ହଟୁଛନ୍ତି । ଯାହାର ପ୍ରଭାବ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପଡ଼ିପାରେ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଚଳିତବର୍ଷ ଭାରତ ଗସ୍ତରେ ଆସିପାରନ୍ତି । ଭାରତ ଚଳିତବର୍ଷ ବ୍ରିକ୍ସ ସମ୍ମିଟ ଆୟୋଜନ କରୁଛି । ଏହି ସମ୍ମିଳନୀ ଭର୍ଚୁଆଲ୍ ନହେଲେ ସି ଜିନପିଙ୍ଗ ଭାରତ ଗସ୍ତରେ ଆସିପାରନ୍ତି ।

 

ଅନ୍ୟପଟେ ଭାରତ ଆୟୋଜନ କରିବାକୁ ଯାଉଥିବା ବ୍ରିକ୍ସ ସମ୍ମିଳନୀକୁ ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ୱେନବିନ ସମର୍ଥନ କରିଛନ୍ତି । ବିଗତ ଦିନରେ ସେ କହିଥିଲେ- ଆମେ ଭାରତକୁ ସମର୍ଥନ କରୁଛୁ, ସମସ୍ତଙ୍କ ସହ ମିଶି କାମ କରିବାକୁ ଚାହୁଁଛୁ । ବ୍ରିକ୍ସ ଦେଶ କରୋନା ବିରୋଧୀ ଲଢ଼େଇରେ ମିଳିତ ଭାବେ କାମ କରିବେ ବୋଲି ଚୀନ ବିଦେଶ ମନ୍ତ୍ରଣାଳୟ କହିଛି ।

 

ତେବେ, ସି ଜିନପିଙ୍ଗଙ୍କ ଭାରତ ଗସ୍ତ ନେଇ ଚୀନ ବିଦେଶ ମନ୍ତ୍ରଣାଳୟ କୌଣସି ଅଧିକାରୀକ ମନ୍ତବ୍ୟ ଦେଇନାହିଁ । ଆଜି ଯାଏ ହୋଇଥିବା ସମସ୍ତ ବ୍ରିକ୍ସ ସମ୍ମିଳନୀରେ ନିଜେ ସି ଜିନପିଙ୍ଗ ଭାଗ ନେଇଥିବାରୁ ସେ ଭାରତ ଆସିବା ନେଇ ଅନୁମାନ କରାଯାଉଛି ।

 

୨୦୨୧ ବ୍ରିକ୍ସ ସମ୍ମିଳନୀ ଲାଗି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଅଫିସିଆଲ୍ ୱେବସାଇଟ୍ ଲଞ୍ଚ କରିଛନ୍ତି । ୨୦୧୯ ଅକ୍ଟୋବରରେ ସି ଜିନପିଙ୍ଗ ଭାରତ ଗସ୍ତରେ ଆସିଥିଲେ । ପ୍ରଧାନମନ୍ତ୍ରୀ ମୋଦି ସି ଜିନପିଙ୍ଗଙ୍କୁ ତାମିଲନାଡୁରେ ସ୍ୱାଗତ କରିଥିଲେ । ଏବେ, ଲଦାଖ ଉତ୍ତେଜନାକୁ ନେଇ ଭାରତ-ଚୀନ ମଧ୍ୟରେ କୌଣସି ଦ୍ୱି-ପାକ୍ଷିକ ବୁଝାମଣା ହୋଇନାହିଁ ।

Leave A Reply

Your email address will not be published.