ଅଣ ପରିବହନ ଗାଡିର ଭଡା ଉପରେ ଲାଗିବ କଟକଣା

0

ଭୁବନେଶ୍ୱର: ଏଣିକି ଅଣପରିବହନ ଗାଡିର ଭଡା ଲଗାଣ ଉପରେ ଲାଗିବ କଟକଣା । ପ୍ରାଇଭେଟ ଲାଇସେନ୍ସପ୍ରାପ୍ତ ଗାଡ଼ିଗୁଡିକ କୌଣସି ପରିସ୍ଥିତିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବନାହିଁ।  ଏପରି କଲେ ଗାଡ଼ି ଭଡ଼ା କରିଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏତଲା ରୁଜୁ ହେବ। ଏଥିସହିତ ପ୍ରାଇଭେଟ ଗାଡ଼ିର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାନେଇ ପରିବହନ କମିସନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଘରୋଇ ଗାଡି ଗୁଡ଼ିକ ସରକାରୀ, ଏକକ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଏବଂ ଶିଳ୍ପସଂସ୍ଥାରେ ଭଡ଼ା ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ପରିବହନ ବିଭାଗର ନଜରକୁ ଆସିଛି। ଏଭଳି କାର୍ଯ୍ୟ ମୋଟର ଯାନ ଆଇନ- ୧୯୮୮କୁ ଖୋଲା ଉଲ୍ଲଂଘନ କରୁଛି। ଏମାନେ ଗାଡ଼ି ଭଡ଼ାରେ ନେଲାବେଳେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଯାଞ୍ଚ କରି ଗାଡି ବ୍ୟବସାୟିକ ଉଦ୍ଦେଶ୍ୟ କି ଘରୋଇ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଲାଇସେନ୍ସ ମିଳିଛି, ଜାଣି ପାରିବେ। ସେହି ଅନୁଯାୟୀ ଗାଡି ଭଡ଼ାରେ ନେବେ।

ବିଭାଗର ନିର୍ଦ୍ଦେଶନାମା ଅନୁସାରେ କେବଳ ଯାତ୍ରୀ ପରିବହନ ପାଇଁ ପଞ୍ଜୀକୃତ ହୋଇଥିବା ଗାଡ଼ି ଭଡ଼ାରେ ଲାଗି ପାରିବ। ଏଭଳି ଗାଡ଼ିର ନମ୍ବର ପ୍ଲେଟ ହଳଦିଆ ରଙ୍ଗର ହୋଇଥିବା ବେଳେ ତା ଉପରେ କଳା ରଙ୍ଗରେ ନମ୍ବର ଲେଖା ହୋଇଥାଏ । ଗାଡ଼ିର ସବୁ କାଗଜପତ୍ର ଠିକ୍ ଥିବା ଦରକାର । ଉଭୟ ରାଜ୍ୟ, କେନ୍ଦ୍ର ସରକାରଙ୍କ ଅଫିସ ଏବଂ PSU କ୍ଷେତ୍ରରେ ଏହି ନିୟମ ଲାଗୁ ହେବ।

ନିୟମ ଭଙ୍ଗ ହେଲେ ସଂପୃକ୍ତ ଗାଡ଼ି ଓ ମାଲିକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି। ମାମଲା ରୁଜୁ କରାଯିବା ସହିତ ମାଲିକଙ୍କ ନାଁରେ ଇ-ଚାଲାଣ କରାଯିବ ବୋଲି କହିଛି ରାଜ୍ୟ ପରିବହନ ବିଭାଗ ।

Leave A Reply

Your email address will not be published.