ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଶକ୍ତିକରଣ ଆହ୍ୱାନ ଦେଲେ ନବୀନ, ଜାତୀୟ ଦଳଙ୍କୁ ଟାର୍ଗେଟ

0

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ମହିଳା । ମହିଳା ସଶକ୍ତିକରଣକୁ ତାଙ୍କ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛି । ଆଜି ବିଜେଡିର ପ୍ରତିଷ୍ଠା ଦିବସରେ ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇ ଜାତୀୟ ଦଳକୁ ଟାର୍ଗେଟ କରିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ ।

ଫୋକସରେ ମହିଳା ସଶକ୍ତିକରଣ

ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନରେ ନବୀନ କହିଛନ୍ତି, ମହିଳାଙ୍କୁ ନେଇ ଜାତୀୟ ଦଳଗୁଡିକ ବଡ଼ ବଡ଼ କଥା କହୁଛନ୍ତି । ମାତ୍ର ନିର୍ବାଚନ ସରିବା ପରେ ମହିଳାଙ୍କ କଥା ଭୁଲି ଯାଉଛନ୍ତି । ନବୀନ କହିଛନ୍ତି, ମା’ ଆଗେଇଲେ ଦେଶ ଆଗେଇବ, ସମାଜ ବି ଆଗେଇବ । ମିହିଳା ସଶକ୍ତିକରଣ କରିବା ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ ।

ସବୁ ଅଧିବେଶନରେ ଉଠିବ ମହିଳା ସଂରକ୍ଷଣ ପ୍ରସଙ୍ଗ

ନବୀନ କହିଛନ୍ତି, ଆମେ ପଞ୍ଚାୟତରେ ୫୦% ମହିଳାଙ୍କୁ ସଂରକ୍ଷଣ ଦେଇଛୁ । ୨୦୧୯ ନିର୍ବାଚନରେ ୩୩% ମହିଳାଙ୍କୁ ବିଜେଡି ଟିକେଟ ଦେଇଥିଲା । ସଂସଦ ଓ ବିଧାନସଭାରେ ମହିଳାଙ୍କୁ ସଂରକ୍ଷଣ ପାଇଁ ବିଜେଡି ସବୁ ସ୍ତରରେ ଲଢ଼େଇ ଜାରି ରଖିବ । ଆଗକୁ ଲୋକସଭା, ରାଜ୍ୟସଭା ଓ ବିଧାନସଭାର ପ୍ରତି ଅଧିବେେଶନରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବିଜେଡି । ଏନେଇ ଜାତୀୟ ଦଳଗୁଡ଼ିକର ଧ୍ୟାନ ଆକର୍ଷଣ କରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

ସଶକ୍ତ ଓଡ଼ିଶା ଗଠନରେ ମହିଳାଙ୍କ ଭାଗିଦାରୀ

ଓଡ଼ିଶାରେ ୮୦ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, ଏକ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଓଡ଼ିଶା ଗଠନ କରି ପାରିବ । ଆମ ସମାଜ ଓ ଓଡ଼ିଶା ପାଇଁ ଚାହୁଁଥିବା ପରିବର୍ତ୍ତନ ସାକାର କରିବାକୁ ମାଆମାନେ ଏହି ଆନ୍ଦୋଳନରେ ସାମିଲ ହେବାକୁ ସେ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.