ପିଜି ନାମଲେଖା ପାଇଁ ହେବ ସ୍ପଟ୍ ଆଡମିଶନ, ଜାଣନ୍ତୁ କେବେଠୁ
ଭୁବନେଶ୍ବର: ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟରେ ଖାଲି ପଡିଥିବା ପିଜି ତଥା ସ୍ନାତକୋତ୍ତର ସିଟ୍ ଗୁଡିକୁ ପୂରଣ କରିବା ଲାଗି ଖୁବଶୀଘ୍ର ସ୍ପଟ୍ ଆଡମିଶନ ହେବ।
ଉଚ୍ଚଶିକ୍ଷା ବିଭାଗର ଏକ ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୯ରୁ ସ୍ପଟ୍ ଆଡମିଶନ ପାଇଁ କମନ ଆପ୍ଲିକସେନ୍ ଫର୍ମ (ସିଏଏଫ୍) ଅନଲାଇନରେ ଉପଲବ୍ଧ ହେବ। ଏହି ସିଏଏଫ୍ ଦାଖଲ କରିବାର ଶେଷ ତାରିଖ ଜାନୁୟାରୀ ୧୨ଏବଂ ମେରିଟ୍ ତାଲିକା ଜାନୁଆରୀ ୧୫ରେ ପ୍ରକାଶ ପାଇବ।
ସେହିପରି ଜାନୁଆରୀ ୧୬, ୧୮, ୧୯ ଓ ୨୦ ତାରିଖରେ ମନୋନୀତ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ତଥା କଲେଜରେ ରିପୋର୍ଟିଂ କରିପାରିବେ। ପରେ ୨୧ ଓ ୨୨ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ, ଫି’ ଦାଖଲ ଓ ନାମଲେଖା କରାଯିବ। ଏନେଇ ୨୩ ତାରିଖରେ ସାମସ୍ ପୋର୍ଟାଲରେ ଡାଟା ଅପଡେସନ ହେବ ବୋଲି ସୂଚନା ମିଳିଛି।
ଆହୁରି ମଧ୍ୟ ଏକକ ପିଜି ପରୀକ୍ଷା (ସିପିଇଟି) ଦେଇ କୌଣସି କାରଣବଶତଃ ଚୟନ ହୋଇନଥିବା କିମ୍ବା ପରୀକ୍ଷା ଦେଇ ସ୍ନାତକ ମାର୍କ ଅପଲୋଡ କରିପାରିନଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଅଂଶ ଗ୍ରହଣ କରିପାରିବେ।
ପ୍ରାର୍ଥୀମାନେ ନିଜ ପସନ୍ଦ ଅନୁଯାୟୀ ଶିକ୍ଷାନୁଷ୍ଠାନ ଗୁଡିକରେ ଆବଦେନ କରିପାରିବେ। ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀ ଚୟନ କରାଯିବ ଏବଂ ସେଠାରେ କୌଣସି ସ୍ଲାଇଡ୍ ଅପ୍ ବିକଳ୍ପ ମଧ୍ୟ ରହିବ ନାହିଁ।
ତେବେ ଯଦି ସିଟ୍ ବଳକା ରୁହେ ତାହେଲେ ରିପୋର୍ଟିଂରେ ସାମିଲ ହୋଇଥିବା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କର ଆଡମିଶନ୍ ଜାନୁଆରୀ ୩୧ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।