ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ ଓ ସହିଦ୍ ହୋଇଥିବା ଆମର କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ଓଡିଶା ଆଜି ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଓଡିଶା ଆଖି ଦୃଷ୍ଟିଆ ଉନ୍ନତି କରିପାରିଛି। ରାଜ୍ୟରେ ଜଳସେଚନ କ୍ଷମତା ବଢିଛି । କୃଷି ଉତ୍ପାଦନ ବଢିଛି। ଚାଷୀର ରୋଜଗାର ବଢିଛି । ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସିଛି । ଭିତ୍ତିଭୂମିର ବିକାଶ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।
ବିଭିନ୍ନ କଲ୍ୟାଣ ଯୋଜନା କାର୍ୟ୍ୟକାରୀ କରିବାରେ ଓଡିଶାର ସ୍ଥାନ ସାରା ଦେଶରେ ସ୍ବତନ୍ତ୍ର । ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଆମର ସବୁ କଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କ ମୁହଁରେ ହସ ଆଣିଛି। ଜନଜାତି ବର୍ଗର ବିକାଶ ଓ କଲ୍ୟାଣ ପାଇଁ ଆମର କାର୍ଯ୍ୟକ୍ରମ ସେମାନଙ୍କୁ ସଫଳ ଭାବରେ ବିକାଶର ମୁଖ୍ୟଧାରାରେ ଯୋଡି ପାରିଛି। ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ବିକାଶର ସୂର୍ଯ୍ୟ ଲୋକଙ୍କ ମନରେ ନୂଆ ଆଶା ସଂଚାର କରିଛି।
ଗତ ୧୦ ମାସ ହେଲା ସାରା ବିଶ୍ବ କରୋନା ସହ ଲଢୁଛି । ଓଡିଶା କରୋନା ମହାମାରୀକୁ ସଫଳତାର ସହ ନିୟନ୍ତ୍ରଣ କରିପାରିଛି। ଏକ ସମୃଦ୍ଧ, ସଶକ୍ତ ଓ ସ୍ବଭିମାନୀ ଓଡିଶା ନିର୍ମାଣ ପାଇଁ ଆମେ ଦୃଢ ପ୍ରତିବଦ୍ଧତାର ସହ ଆଗକୁ ବଢୁଛୁ । କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ସମସ୍ତଙ୍କ ସହଯୋଗ ହିଁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ । ଏକ ନୂଆ ଓଡିଶା ଗଠନ ଦିଗରେ ମୁଁ ସମସ୍ତଙ୍କ ଆଶୀର୍ବାଦ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।