୨୦୨୨ ସୁଦ୍ଧା ଆଇଟି କ୍ଷେତ୍ରରୁ ଚାକିରି ହରାଇପାରନ୍ତି ୩୦ ଲକ୍ଷ କର୍ମଚାରୀ
ନୂଆଦିଲ୍ଲୀ : ବିଭିନ୍ନ ଆଇଟି କମ୍ପାନିରେ ଚାକିରି କରୁଥିବା ବ୍ୟକ୍ତି ସାବଧାନ । ୨୦୨୨ ସୁଦ୍ଧା ଯାଇପାରେ ଜୀବିକା । ଜାରି ରହିଥିବା ଅଟୋମେସନ ପ୍ରକ୍ରିୟାରେ ଆସିପାରେ ଏହି ବିପତ୍ତି । ଆସନ୍ତା ୨୦୨୨ ସୁଦ୍ଧା ବିଭିନ୍ନ ଆଇଟି କ୍ଷେତ୍ରରୁ ପ୍ରାୟ ୩୦ ଲକ୍ଷ କର୍ମଚାରୀ ସେମାନଙ୍କ ଚାକିରି ହରାଇପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ବିଭିନ୍ନ ଟେକ୍ ଫାର୍ମ, ଆଇଟି କମ୍ପାନୀ ପକ୍ଷରୁ କରାଯାଉଥିବା ଅଟୋମେସନ ପ୍ରକ୍ରିୟାରେ କମ୍ପାନୀମାନେ ବାର୍ଷିକ ୧୦୦ ବିଲିୟନ ଡଲାର ବଞ୍ଚାଇ ପାରିବେ ବୋଲି ରିପୋର୍ଟରେ କୁହାଯାଇଛି ।
ନ୍ୟାସନାଲ ଆସୋସିଏସନ ଅଫ ସଫ୍ଟୱେର ଆଣ୍ଡ ସର୍ଭିସ କମ୍ପାନୀଜ ବା ନାସକମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ବିଭିନ୍ନ ଆଇଟି କମ୍ପାନୀରେ ଏବେ ୧୬ ନିୟୁତ କର୍ମଚାରୀ କାମ କରୁଛନ୍ତି । ସେହିପରି ବିଭିନ୍ନ ଲୋ-ସ୍କିଲ କ୍ଷେତ୍ର ଓ ବିପିଓରେ ପ୍ରାୟ ୯୦ ଲକ୍ଷ ଲୋକ କାମ କରୁଛନ୍ତି । ଏଭଳିସ୍ଥିତିରେ ଯଦି ଅଟୋମେସନ ହୁଏ, ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ଲକ୍ଷ କର୍ମଚାରୀ ଜୀବିକା ହରାଇବେ । ରୋବଟ ପ୍ରସେସ ଅଟୋମେସନ ଉପରେ ଏବେ ଅଧିକାଂଶ କମ୍ପାନୀ ଗୁରୁତ୍ବ ଦେଉଛନ୍ତି । ଏବଂ କମ ଦିନ ଭିତରେ ଏହି ପ୍ରକ୍ରିୟାର ଫଳ କର୍ମଚାରୀମାନେ ଭୋଗ କରିବା ଆଶଙ୍କା ଦେଖାଦେଇଛି ।
ଏହାସହ ବିଭିନ୍ନ ପ୍ରଯୁକ୍ତିଗତ ଅପଗ୍ରେଡେସନ ଯୋଗୁ ଅନ୍ୟ ଅର୍ଦ୍ଧକୁଶଳୀ କର୍ମଚାରୀ ମଧ୍ୟ କାମ ହରାଇବେ । ରୋବଟ ପ୍ରସେସ ଅଟୋମେସନ ପ୍ରକ୍ରିୟାରେ ୩୦ ଲକ୍ଷ କର୍ମଚାରୀ ହ୍ରାସ କରିବା ଲାଗି ଟିସିଏସ, ଇନଫୋସିସ, ୱିପ୍ରୋ, ଏଚସିଏଲ, ଟେକ୍ ମହିନ୍ଦ୍ରା ଓ କଗ୍ନିଜାଣ୍ଟ ଭଳି କମ୍ପାନି ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।