ଆଇପିଏଲ ମୁକାବିଲା : ଚେନ୍ନାଇ-ରାଜସ୍ଥାନ ଉଭୟଙ୍କ ପାଇଁ କର ବା ମର ପରିସ୍ଥିତି

0

ଆବୁଧାବି: ଆଜି ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଚେନ୍ନାଇ ଓ ରାଜସ୍ଥାନ ୯ଟି ଲେଖାଏଁ ମ୍ୟାଚ୍ ଖେଳି ପ୍ରତ୍ୟେକ ୬ପଏଣ୍ଟ ସହ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ୍‌କୁ ମିଶାଇ ଆଉ ମାତ୍ର ୫ଟି ମ୍ୟାଚ୍ ବାକି ରହିଛି । ପୂର୍ବରୁ ରାଜସ୍ଥାନ ୧୬ ରନ୍‌ରେ ଚେନ୍ନାଇକୁ ପରାସ୍ତ କରିଥିଲା । ଏହା ତାଙ୍କ ମନୋବଳ ଉଚ୍ଚରେ ରଖିବ ।

ରାଜସ୍ଥାନ ଦଳ ପୂର୍ବ ୨ଟି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ପରାଜିତ ହୋଇଥିଲା । ସ୍ମିଥ୍ ରୟାଲ୍ ଚ୍ୟାଲେଞ୍ଜର୍ସ ମୁକାବିଲାରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଫର୍ମକୁ ଫେରିଥିଲେ । କିନ୍ତୁ ଓପନିଂ ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସଂଘର୍ଷ କରୁଛନ୍ତି । ଷ୍ଟାର୍ ଓପନର ଜୋସ ବଟଲର ଓ ବେନ୍ ଷ୍ଟୋକ୍ସ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ ଦେଇପାରିନାହାନ୍ତି । ଜୋଫ୍ରା ଆର୍ଚରଙ୍କ ନେତୃତ୍ୱରେ ବୋଲିଂ ବିଭାଗ ନିରାଶ କରିଛି । ଆଜି ଦଳର ଟ୍ରମ୍ପ କାର୍ଡ଼ ରାହୁଲ ତେୱାତିଆଙ୍କ ଉପରେ ସମସ୍ତଙ୍କ ନଜର ରହିବ ।ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ପ୍ଲେ-ଅଫ୍ ଆଶା ଉଜ୍ୱଳ କରିଥିଲା। କିନ୍ତୁ ପୂର୍ବ ମ୍ୟାଚ୍‌ରେ କ୍ୟାପିଟାଲ୍ସଠୁ ୫ ୱିକେଟରେ ପରାଜିତ ହୋଇ ଆଶା କ୍ଷୀଣ କରିଛି ।

Leave A Reply

Your email address will not be published.