ମିଲାଗ୍ରୋର ପ୍ରତିଷ୍ଠାତା ରାଜୀବ କରୱାଲଙ୍କ ପରଲୋକ
ନୂଆଦିଲ୍ଲୀ: ମିଲାଗ୍ରୋ ରୋବଟ୍ସର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ରାଜୀବ କରୱାଲଙ୍କ ପରଲୋକ। କରୋନାରେ ରାଜୀବଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାୟ ଏକ ସପ୍ତାହ ଭେଣ୍ଟିଲେଟରରେ ରହିବା ପରେ ବୁଧବାର ସକାଳେ ରାଜୀବଙ୍କ ଦେହାନ୍ତ ହୋଇଛି।
ଭାରତୀୟ ଇଲେକ୍ଟ୍ରୋନିକ୍ସ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ କରୱାଲ ବେଶ୍ ଜଣାଶୁଣା। ସେ ୨୦୦୭ରେ ମିଲାଗ୍ରୋ ପ୍ରତିଷ୍ଠା କରିବା ପୂର୍ବରୁ ଏକ ବର୍ଷ ପାଇଁ ରିଲାଏନ୍ସ ଡିଜିଟାଲର ସଭାପତି ତଥା ସିଇଓ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ମିଲାଗ୍ରୋ ୨୦୦୭ ରେ ସ୍ଥାପିତ ହୋଇଥିଲା ଏବଂ ୨୦୧୨ ସୁଦ୍ଧା କମ୍ପାନୀ ଆବାସିକ ଏବଂ ଶିଳ୍ପ ବ୍ୟବହାର ପାଇଁ ରୋବଟ୍ ତିଆରି କରିଥିଲା।
କୋଭିଡ ସମୟରେ ମିଲାଗ୍ରୋର ରୋବଟଗୁଡିକ ମହତ୍ବପୂର୍ଣ ଭୂମିକା ନିର୍ବାହ କରିଥିଲା। ଡାକ୍ତରଖାନାଗୁଡ଼ିକରେ ଡାକ୍ତରମାନଙ୍କୁ ସାହାଯ୍ୟ କରିବା ପାଇଁ ମିଲାଗ୍ରୋର ହ୍ୟୁମାନୋଇଡ ବ୍ୟବହାର ହୋଇଥିଲା। ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଏହି ଭୂତାଣୁରୁ ରକ୍ଷା କରିବା ପାଇଁ ଦିଲ୍ଲୀର AIIMS ସ୍ଥିତ କୋଭିଡ୍ ୱାର୍ଡରେ ପ୍ରଥମ ହ୍ୟୁମାନୋଇଡ୍ ELF ନିୟୋଜିତ କରାଯାଇଥିଲା।
କରୱାଲ ତାଙ୍କର ସାମ୍ପ୍ରତିକ ସାକ୍ଷାତକାରରେ ମିଲାଗ୍ରୋର ଅଭିବୃଦ୍ଧି ବିଷୟରେ କହିଥିଲେ, ଯାହା ମହାମାରୀର ପୃଷ୍ଠଭୂମିରେ ଭଲ ପ୍ରଦର୍ଶନ କରିଥିଲା। କାରଣ ଗୃହର ସହାୟତା ତଥା ଶିକ୍ଷାଗତ ଉଦ୍ଦେଶ୍ୟରେ ରୋବଟର ଚାହିଦା ବଢିଥିଲା।