ଛୁଇଁଲା ମୌସୁମୀ, ପ୍ରଥମ ବର୍ଷାରେ ଭିଜିଲା ରାୟଗଡା

0

ରାୟଗଡା: ଗ୍ରୀଷ୍ମ ପ୍ରବାହରୁ ରାୟଗଡା ଜିଲ୍ଲାକୁ ନିସ୍ତାର ମିଳିଛି । ଲଗାତାର ଭାବେ ଦୁଇଦିନ ଧରି ଅବିଶ୍ରାନ୍ତ ବର୍ଷା ଓ କୋହଲା ପାଗ ଲୋକଙ୍କୁ ରୌଦ୍ର ତାପରୁ ଆସ୍ୱସ୍ତି ଦେଇଛି । ପାଣିପାଗ ବିଭାଗ ଦ୍ୱାରା ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ସାରା ରାଜ୍ୟରେ ମୌସୁମୀ ପ୍ରବେଶ ଆକଳନ ସତ ହୋଇଛି । ରାୟଗଡାକୁ ଛୁଇଁଛି ପଶ୍ଚିମ ମୌସୁମୀ ।

 

ସମଗ୍ର ଜିଲ୍ଲାରେ ବର୍ଷା ଲାଗି ରହିଛି । ବିଗତ ୨୪ ଘଣ୍ଟାରେ କାଶୀପୁର ବ୍ଲକରେ ସର୍ବାଧିକ ୭୪.୩ ମି.ମି ବର୍ଷା ହୋଇଛି । ସେହିପରି ପଦ୍ମପୁରରେ ୨୨.୨ ମି.ମି, କୋଲନରାରେ ୧୯.୬ ମି.ମି ଓ ରାୟଗଡା ସଦର ବ୍ଲକରେ ୧୬.୮ ମି.ମି ବର୍ଷା ହୋଇଥିବା ସୂଚନା ମିଳିଛି । ତେବେ ବର୍ଷା ଯୋଗୁଁ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ତେବେ ଚାଷ ପାଇଁ ପାଗ ଅନୁକୂଳ ଥିବାରୁ ଚାଷୀକୂଳ ଚଳଚଂଚଳ ହୋଇଉଠିଛି ।

 

ଆଦିବାସୀ ଅଧ୍ୟ୍ୟୁଷିତ ରାୟଗଡା ଜିଲ୍ଲାରେ ଗ୍ରାମାଂଚଳ ଲୋକେ ପୋଡୁ ଚାଷ ପାଇଁ ଗ୍ରୀଷ୍ମ ଋତୁରେ କ୍ଷେତ ପ୍ରସ୍ତୁତ କରିଥାନ୍ତି । ସେଥପାଇଁ ବର୍ଷା ଆସିଲେ ଚାଷୀମାନେ ଚାଷ କାର୍ଯ୍ୟରେ ମାତିଥାନ୍ତି । ଚଳିତବର୍ଷ ଠିକ୍ ସମୟରେ ମୌସୁମୀ ପାଦ ଥାପିଥିବାରୁ ଖରିଫ ଫସଲ ନିମନ୍ତେ ପାଗ ଅନୁକୂଳ ରହିଛି । ତେବେ ବିହନ ଅଭାବ ଚାଷୀକୂଳକୁ ହତାଶ କରିଛି ।

 

ଅନ୍ୟପଟେ ଅବିରତ ବର୍ଷା ପାଇଁ ରାୟଗଡା ସହରର ବିଭିନ୍ନ ସ୍ଥାନରେ ବର୍ଷା ଜଳ ଲହଡି ଭାଙ୍ଗୁଛି । ସହରର ଅଧିକାଂଶ ଡ୍ରେନ୍ ସଫା ହୋଇନଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇପାରୁନି । ସହରର ମୁଖ୍ୟ ବଜାର, ରିଂ ରୋଡ, ଗାନ୍ଧୀନଗର, କସ୍ତୁରୀ ନଗର ଓ ଉମାଶଙ୍କର ଲେନ୍ ଭଳି ଅଂଚଳରେ ମୁନ୍ଦାଏ ବର୍ଷା ହେଲେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ଡ୍ରେନ୍ ସଫା କରିବାକୁ ପୌର ପ୍ରଶାସନ ନିକଟରେ ସହର ବାସିନ୍ଦା ଦାବି କରିଛନ୍ତି ।

Leave A Reply

Your email address will not be published.