ଆଉ IPL ଖେଳିବେନି ‘ମିଷ୍ଟର IPL’, ସବୁ ଫର୍ମାଟରୁ ଅବସର ନେଲେ ରାଇନା
ନୂଆଦିଲ୍ଲୀ: ଆଉ ଆଇପିଏଲ୍ ଖେଳିବେନି ‘ମିଷ୍ଟର ଆଇପିଏଲ୍’। କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା। ସେ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଏନେଇ ଖୋଦ୍ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ସେ ସୂଚନା ଦେଇଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ଆମ ଦେଶ ତଥା ରାଜ୍ୟ ୟୁପି ପ୍ରତିନିଧିତ୍ୱ କରିବା ଏକ ଗର୍ବର ବିଷୟ। ସମସ୍ତ ପ୍ରକାର କ୍ରିକେଟ୍ରୁ ମୋର ଅବସର ଘୋଷଣା କରିବାକୁ ଚାହୁଁଛି। ମୋର ଦକ୍ଷତା, ମୋ ଉପରେ ବିଶ୍ୱାସ ଓ ମୋର ସମର୍ଥନ କରିଥିବା ପାଇଁ ମୁଁ @BCCI, @UPCACricket, @ChennaiIPL, @ShuklaRajiv ସାର୍ ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।’
It has been an absolute honour to represent my country & state UP. I would like to announce my retirement from all formats of Cricket. I would like to thank @BCCI, @UPCACricket, @ChennaiIPL, @ShuklaRajiv sir & all my fans for their support and unwavering faith in my abilities 🇮🇳
— Suresh Raina🇮🇳 (@ImRaina) September 6, 2022
ଉଲ୍ଲେଖଯୋଗ୍ୟ ୧୫ ଅଗଷ୍ଟ ୨୦୨୦ରେ ଧୋନିଙ୍କ ସହ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିବା ରାଇନା ବର୍ତ୍ତମାନ ଘରୋଇ କ୍ରିକେଟ୍ରୁ ମଧ୍ୟ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଇପିଏଲ୍ କ୍ୟାରିୟରରେ ରାଇନା ୨୦୫ଟି ମ୍ୟାଚ୍ ଖେଳିଛନ୍ତି। ସେ ୫୫୨୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ। ରାଇନା ଆଇପିଏଲରେ ସିଏସ୍କେ ଟିମ୍ ପାଇଁ ଖେଳୁଥିଲେ। ହେଲେ ଆଇପିଏଲ୍-୨୦୨୨ର ନିଲାମରେ CSK ତାଙ୍କୁ କିଣିନଥିଲା। ଏଥିସହ ତାଙ୍କୁ ଅନ୍ୟ କୌଣସି ଫ୍ରାଞ୍ଚାଇଜ୍ ମଧ୍ୟ କିଣି ନଥିଲା।
ବିସିସିଆଇରୁ ଏନଓସି ପାଇବା ପରେ ସୁରେଶ ରାଇନା ଦେଶ ତଥା ବିଦେଶର ବିଭିନ୍ନ ଲିଗରେ ଖେଳିବା ପାଇଁ ଉପଲବ୍ଧ ହେବେ। ସେ ୟୁପିସିଏରୁ ଏନଓସି ନେଇଛନ୍ତି। ବିସିସିଆଇ ସଚିବ ଜୟ ଶାହା ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲାଙ୍କୁ ସୂଚନା ଦେଇଛନ୍ତି ସୁରେଶ ରାଇନା।
ସେପ୍ଟେମ୍ବର ୧୦ରୁ ସେ ସଡକ ସୁରକ୍ଷା ବିଶ୍ୱ ସିରିଜର ଏକ ଅଂଶ ମଧ୍ୟ ହେବେ ବୋଲି ରାଇନା ନିଶ୍ଚିତ କରିଛନ୍ତି। ସେ ଗତ ଏକ ସପ୍ତାହ ଧରି ଅଭ୍ୟାସ କରୁଛନ୍ତି। ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୟୁଏଇର ଟି-୨୦ ଲିଗ୍ ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଛି ବୋଲି ସୁରେଶ ରାଇନା ସୂଚନା ଦେଇଛନ୍ତି।