ଚାଳି ଚାଲି ଯିବା ପାଇଁ ଜାତୀୟ ଓ ରାଜ୍ୟ ରାଜପଥରେ ରହିବ ସ୍ୱତନ୍ତ୍ର ଟ୍ରାକ୍‌

0

ଭୁବନେଶ୍ୱର:  ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରହିବ ସ୍ୱତନ୍ତ୍ର ଟ୍ରକ୍‌। ଯେଉଁଥିରେ କେବଳ ପଥଚାରୀ ଚାଲିବେ। ଠିକ୍‌ ସେମିତି ସାଇକେଲ ଚାଳକଙ୍କ ପାଇଁ ମଧ୍ୟ ରହିବ ସ୍ୱତନ୍ତ୍ର ଟ୍ରାକ୍‌। କିନ୍ତୁ ସେହି ରାସ୍ତାରେ ଯାନବାହନ ଯାଇପାରିବ ନାହିଁ। ରାଜ୍ୟର ସବୁ ସଡକରେ ଏଭଳି ଡିଜାଇନ୍ ରହିବ। ଦୁର୍ଘଟଣା ରୋକିବା ଲାଗି ପରିବହନ ବିଭାଗ ରାଜ୍ୟ ମୋଟର ଭେଇକିଲ୍‌ ଆକ୍ଟ ୧୯୯୩ରେ ସଂଶୋଧନ କରି ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି। ସେଥିପାଇଁ ବିଭାଗ ପ୍ରସ୍ତୁତ କରିଛି ଡ୍ରାଫ୍ଟ ପଲିସି।

 

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ପଥଚାରୀ ଓ ସାଇକେଲ ଚାଳକ ଯାଉଥିବାରୁ ଅଧିକାଂଶ ସମୟରେ ଭିଡ଼ ହେଉଛି। ତା’ଛଡ଼ା ଯାନବାହାନର ଦ୍ରୁତ ଗତି ଯୋଗୁ ପଥଚାରୀ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଯାହାକୁ ରୋକିବା ଲାଗି ପରିବହନ ବିଭାଗ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରି ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ପାଖକୁ ମତାମତ ପାଇଁ ପଠାଇଛି। ଖାଲି ସେତିକି ନୁହେଁ, ଯେଉଁସବୁ ସ୍ଥାନରେ ନୂଆ ରାସ୍ତା ହେବ, ସେଠାରେ ଠିକାଦାର ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାକ୍‌ କରିବେ। ଡିଜାଇନ୍‌ରେ ରାସ୍ତା ତିଆରି କରିବେ। ନଚେତ ପ୍ରକଳ୍ପ ମୂଲ୍ୟର ଏକ ପ୍ରତିଶତକୁ ଫାଇନ୍‌ ଆକାରରେ କଟାଯାଇ ରୋଡ୍‌ ସେଫଟି ଫଣ୍ଡରେ ଜମା କରାଯିବ ଡ୍ରାଫ୍ଟ ପଲିସିରେ କୁହାଯାଇଛି।

ସେହିପରି ଜାତୀୟ ରାଜପଥରେ ପ୍ରତି ୨ କିଲୋମିଟର ବ୍ୟବଧାନରେ ପଥଚାରୀ ରାସ୍ତା ପାର ହେବା ଲାଗି ଫୁଟ୍ ଓଭରବ୍ରିଜ, ସବ୍‌ୱେ ଓ କ୍ରସ୍‌ ୱେର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଭଳି ଯୋଜନାକୁ ସଡ଼କ ସୁରକ୍ଷା କର୍ମୀ ସ୍ୱାଗତ କରିଥିବା ବେଳେ ରାସ୍ତାକଡ଼ରେ ଜବରଦଖଲ ଉଚ୍ଛେଦ ବଡ଼ ଚାଲେଞ୍ଜ ହେବ ବୋଲି ମତ ରଖିଛନ୍ତି। ତେବେ ଏନେଇ ପରିବହନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ।

ରାଜ୍ୟର ପ୍ରତି ସ୍ଥାନରେ ସଡ଼କ ପରିବହନଜନିତ ତ୍ରୁଟି ପାଇଁ ଅକାଳରେ ହଜାର ହଜାର ଲୋକଙ୍କର ଦୁର୍ଘଟଣାରେ ପ୍ରାଣ ଯାଉଛି। କେଉଁଠି ରାସ୍ତା ଉପରେ ପାର୍କିଂ, ତ ଆଉ କେଉଁଠି ସାଇକେଲ୍‌ ଟ୍ରାକ୍‌ରେ ଗଡୁଛି ବାଇକ୍‌। ରଙ୍ଗ ଡ୍ରାଇଭ୍‌ ମଧ୍ୟ ପ୍ରାଣଘାତୀ ସାବ୍ୟସ୍ତ ହେଉଛି। ରାଜ୍ୟରେ ଯଥେଷ୍ଟ ଫୁଟ୍‌ ଓଭର ବ୍ରିଜ ଯଦିଓ ନାହିଁ, ଯେଉଁ ସବୁ ସ୍ଥାନରେ ଅଛି, ସେଠାରେ ଲୋକ ସେତେଟା ବ୍ୟବହାର କରୁନାହାଁନ୍ତି। ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସର୍ଭିସ ରୋଡ୍‌ ମଧ୍ୟ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଥିବା ଆଲୋଚନା ହେଉଛି। ତେବେ ପରିବହନ ବିଭାଗର ଡ୍ରାଫ୍ଟ ପଲିସି ଲାଗୁ ହେଲେ ଦୁର୍ଘଟଣା ମାତ୍ରାରେ ରୋକ ଲାଗି ପାରିବ ବୋଲି ମତ ରଖିଛନ୍ତି ସାଧାରଣ ଲୋକେ।

୨୦୧୪ ମସିହାରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୩,୯୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୧ରେ ଏହା ୫ ହଜାର ୮୧ରେ ପହଞ୍ଚିଛି। ଏହାର ଅର୍ଥ ୭ ବର୍ଷରେ ଏହା ୨୯ ପ୍ରତିଶତ ବଢ଼ିଛି। ସେହିପରି ଚଳିତ ବର୍ଷ ଜାନୁଆରୀରୁ ଜୁନ ଯାଏ ୬ ହଜାର ୨୯ ଟି ଦୁର୍ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି। ଯେଉଁଥିରୁ ୨ ହଜାର ୮୪୯ ଜଣଙ୍କ ମୃତ୍ୟୁ।

Leave A Reply

Your email address will not be published.