ମୁସଲିମ୍ ନେତାଙ୍କୁ ଭେଟିବା ପରେ ଭାଗବତଙ୍କୁ ‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେବାକୁ କଂଗ୍ରେସର ଆହ୍ୱାନ
ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟ ଉମର ଅହମ୍ମଦ ଇଲିଆସିଙ୍କୁ ଗତକାଲି ଭେଟିଥିଲେ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ । ଏହାକୁ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। ଗୁରୁବାର କଂଗ୍ରେସ କହିଛି ଯେ ‘ଭାରତ ଯୋଡୋ’ ଯାତ୍ରାର ପ୍ରଭାବ ପଡିଛି। ତେଣୁ ମୋହନ ଭଗବତ ଇମାମ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ନିକଟରେ ପହଞ୍ଚିଛନ୍ତି। ଏବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡୋ’ ଯାତ୍ରରେ ମୋହନ ଭାଗବତ ସାମିଲ ହେବା ଉଚିତ।
କଂଗ୍ରେସ ମୁଖପାତ୍ର ପବନ ଖେରା ଟ୍ୱିଟ୍ କରି କହିଛନ୍ତି ଯେ, ଭାରତ ଯୋଡ ଯାତ୍ରା ମାତ୍ର ୧୫ ଦିନ ହୋଇଛି, ବିଜେପି ମୁଖପାତ୍ର ଗୋଡସେ ମୁର୍ଦାବାଦ କହିବା ଆରମ୍ଭ କରିଛନ୍ତି, ମନ୍ତ୍ରୀ କହିଲେଣି ଗଣମାଧ୍ୟମରେ ଘୃଣା ଭାବ ପ୍ରସାର ହେଉଛି ଏବଂ ମୋହନ ଭଗବତ ଇମାମଙ୍କୁ ଭେଟିଛନ୍ତି।
ଦଳର ମୁଖପାତ୍ର ଗୌରବ ଭଲ୍ଲବ କହିଛନ୍ତି, “ଭାରତ ଯୋଡା ଯାତ୍ରା ଦୁଇ ସପ୍ତାହ ହେଲା ଚାଲିଛି ଏବଂ ଏହାର ଫଳାଫଳ ଦେଖାଯିବା ଆରମ୍ଭ କରିଛି। ଟିଭି ଚ୍ୟାନେଲରେ ଗୋଡସେ ମୁର୍ଦାବାଦ କହୁଛନ୍ତି ବିଜେପି ମୁଖପାତ୍ର। ମୋବନ ଭଗବତ ଆଜି ଅନ୍ୟ ଧର୍ମର ଲୋକଙ୍କ ଘରକୁ ଯାଉଛନ୍ତି। ଏହା ହେଉଛି ‘ଭାରତ ଯୋଡୋ’ ଯାତ୍ରାର ପ୍ରଭାବ। ଭାଗବତ ‘ଭାରତ ଯୋଡୋ’ ଯାତ୍ରା ଦ୍ୱାରା ପ୍ରଭାବିତ ହୋଇଛନ୍ତି, ସେ ମଧ୍ୟ ଏହି ଯାତ୍ରାରେ ଯୋଗ ଦିଅନ୍ତୁ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲନ୍ତୁ ।
ଉଲ୍ଲେଖଯୋଗ୍ୟ, ମୋହନ ଭାଗବତ ଗୁରୁବାର ଏକ ମସଜିଦ ଏବଂ ମଦ୍ରାସା ପରିଦର୍ଶନ କରି ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ଇମାମ ସଂଗଠନର ମୁଖ୍ୟ ଭାଗବତଙ୍କୁ ଦୁହିଁଙ୍କ ସାକ୍ଷାତ ପରେ ଜାତିର ପିତା ବୋଲି କହିଥିଲେ। ଏହାପରେ ଦିଲ୍ଲୀର ଗାନ୍ଧୀ ମାର୍ଗରେ ଏକ ମସଜିଦ ବୁଲି ଦେଖିଥିଲେ ଏବଂ ଏହାପରେ ଉତ୍ତର ଦିଲ୍ଲୀର ଆଜାଦପୁରର ମଦ୍ରାସା ଯାଇଥିଲେ।