ଟି-୨୦ ବିଶ୍ୱକପ: ବୁମ୍ରାଙ୍କ ସ୍ଥାନ ନେଲେ ଶାମି, ଷ୍ଟାଣ୍ଡବାଇରେ ସିରାଜ ଓ ଶାର୍ଦ୍ଦୁଲ
ମୁମ୍ବାଇ: ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପାଇଁ ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ସେହିପରି ଷ୍ଟାଣ୍ଡବାଇରେ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ରଖାଯାଇଛି। ଆଜି ଏ ସମ୍ପର୍କରେ ବିସିସିଆଇ ସଂପାଦକ ଜୟ ଶାହ ଗୋଟିଏ ବିବୃତି ଜାରି କରି ସୂଚନା ଦେଇଛନ୍ତି। ଆଜି ହିଁ ଏହି ୩ ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ଉଡ଼ାଣ ଭରିବେ।
ବିଶ୍ୱକପ ପୂର୍ବରୁ ଆହତ ହୋଇଥିବା ବୁମ୍ରାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିବାକୁ ବିସିସିଆଇ ପାଖରେ ଅକ୍ଟୋବର ୧୫ ଯାଏ ସମୟ ରହିଥିଲା। ଏହାର ଦିନକ ପୂର୍ବରୁ ବିସିସିଆଇ ବହୁ ବିଚାରବିମର୍ଶ ପରେ ଶାମିଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ଦେଇଛି। ସେହିପରି ଭଲ ଫର୍ମରେ ଥାଇ ମଧ୍ୟ ମହମ୍ମଦ ସିରାଜ ଷ୍ଟାଣ୍ଡବାଇ ବା ବ୍ୟାକପ ଭାବେ ବିଶ୍ୱକପ ଟିମ୍ରେ ରହିବେ।
ସିରାଜଙ୍କ ତୁଳନାରେ ଶାମିଙ୍କ ଅଭିଜ୍ଞତା ଅଧିକ। କିନ୍ତୁ ଶାମି ଫେବୃଆରୀ ମାସରୁ ଭାରତ ପାଇଁ ଟି-୨୦ କ୍ରିକେଟ ଖେଳି ନାହାନ୍ତି। ଏଥିସହ ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସିରାଜ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି।
🚨 NEWS 🚨: Shami replaces Bumrah In India’s ICC Men’s T20 World Cup Squad. #TeamIndia | #T20WorldCup
Details 🔽https://t.co/nVovMwmWpI
— BCCI (@BCCI) October 14, 2022
୩ଟି ମ୍ୟାଚ୍ରେ ସେ ୫ଟି ୱିକେଟ ନେଇ ମ୍ୟାନ ଅଫ ଦି ସିରିଜ ହାତେଇଥିଲେ। ତଥାପି ବିସିସିଆଇ ଅଷ୍ଟ୍ରେଲିଆରେ ଶାମିଙ୍କ ଅଭିଜ୍ଞତା କାମରେ ଆସିବ ବୋଲି ଆଶା କରି ତାଙ୍କୁ ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ଦେଇଛି।
ଶାର୍ଦ୍ଦୁଲ ଠାକୁର ଅଲରାଉଣ୍ଡର ଭାବେ ଷ୍ଟାଣ୍ଡବାଇରେ ରହିବେ। ସେ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ବ୍ୟାକଅପ। ଏହାବାଦ ପୂର୍ବରୁ ଶ୍ରେୟସ ଆୟର ଓ ରବି ବିଷ୍ଣୋଇ ଷ୍ଟାଣ୍ଡବାଇ ତାଲିକାରେ ରହିଛନ୍ତି।