ଶୀତ ଅଧିବେଶନରେ ସଂସଦରେ ଯୋଗ ଦେଇପାରିବେନି ରାହୁଲ ଗାନ୍ଧି

0

ନୂଆଦିଲ୍ଲୀ: ଚଳିତ ଶୀତ ଅଧିବେଶନରେ ସଂସଦରେ ଯୋଗ ଦେଇପାରିବେନି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ରହିବା କାରଣରୁ ଶୀତ ଅଧିବେଶନରେ ଗୃହରେ ଉପସ୍ଥିତ ରହିପାରିବେନି। କଂଗ୍ରେସ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବର ୭ତାରିଖରେ ଦେଶର ଦକ୍ଷିଣ ଭାଗ କନ୍ୟାକୁମାରୀରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଥିଲା ।

 

୫୨ ବର୍ଷୀୟ ଗାନ୍ଧି ଏଯାଏଁ କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ତାଙ୍କ ଭାରତ ଯୋଡ଼ା ଯାତ୍ରା ଶେଷ କରିସାରିଛନ୍ତି। ଏବେ ଏହି ଯାତ୍ରା ମହାରାଷ୍ଟ୍ରରେ ପହଞ୍ଚିଥିବା ବେଳେ ଶିବସେନା ନେତା ଆଦିତ୍ୟ ଠାକରେ ସାମିଲ ହୋଇଛନ୍ତି । ଠାକରେ କହିଛନ୍ତି ଭାରତ ଯୋଡ଼ୋ ଯାତ୍ରା’ପଛର ବିଚାର ସମସ୍ତଙ୍କୁ ଏକାଠି କରିବା। ତେଣୁ ସମାଜର ସବୁ ବର୍ଗର ଲୋକ ଏହି ଯାତ୍ରାକୁ ସମର୍ଥନ କରୁଛନ୍ତି। ସେହିପରି ଏନ୍‌ସିପିର ଅନେକ ପ୍ରମୁଖ ନେତା ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି। ରାଜ୍ୟ ଏନ୍‌ସିପି ମୁଖ୍ୟ ଜୟନ୍ତ ପାଟିଲ, ବାରମତି ସାଂସଦ ସୁପ୍ରିୟା ସୁଲେ ଏବଂ ଦଳୀୟ ନେତା ଜିତେନ୍ଦ୍ର ଅୱଦ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରା‌ରେ ଯୋଗ ଦେଇଛନ୍ତି।

 

ରାହୁଲ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଅଟକି ଲୋକଙ୍କ ସହ କଥା ହୋଇଛନ୍ତି। ଅନ୍ୟପକ୍ଷେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ହସ୍ପିଟାଲରେ ଥିବାରୁ ସେ ଯାତ୍ରାରେ ଯୋଗ ଦେଇନାହାନ୍ତି।ଏହି ଯାତ୍ରା ୩ ହଜାର ୭୫୦ କିଲୋମିଟର ପରିକ୍ରମା କରିବ। ୧୫୦ ଦିନ ଯାଏଁ ଏହା ଚାଲିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକଙ୍କ ସମର୍ଥନ ରହୁଥିବାରୁ ଆଗାମୀ ଦିନରେ କଂଗ୍ରେସ ସଙ୍ଗଠନ ସାରା ଦେଶରେ ମଜବୁତ ହେବା ସହ ଦଳ ନୂଆ ରୂପରେ ଆସିବ ବୋଲି କୁହାଯାଇଛି।

Leave A Reply

Your email address will not be published.