ମୋଦୀଙ୍କୁ ଟାର୍ଗେଟ କଲେ, ୨୦୨୪ ପାଇଁ ବିରୋଧୀ ଏକତାର ବାର୍ତ୍ତା ଦେଲେ ମମତା
କୋଲକାତା: ବିରୋଧୀ ଦଳ ଲୋକସଭା ନିର୍ବାଚନ ପାଇଁ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ୨୦୨୪ ନିର୍ବାଚନରେ ବିଜେପି କ୍ଷମତାକୁ ତୃତୀୟ ଥର ପାଇଁ ଆସିପାରିବ ନାହିଁ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଏକ ପରିବର୍ତ୍ତନ ଆଣିବ।
ସମସ୍ତ ବିରୋଧୀ ଦଳକୁ ଏକାଠି ହେବାକୁ ମମତା ବାନାର୍ଜୀ ଅନୁରୋଧ କରି କହିଛନ୍ତି, ଭାରତ ଏହାର ମଙ୍ଗଳ ପାଇଁ ପରିବର୍ତ୍ତନ ପାଇବାକୁ ଯୋଗ୍ୟ। ଲୋକଙ୍କଠାରୁ ବଡ଼ ଶକ୍ତି ନାହିଁ। ବିଜେପିର ରାଜନୀତିକୁ ଜୁମଲା ରାଜନୀତି କହି ଲୋକଙ୍କୁ ବିଜେପି ବିରୋଧରେ ଜନମତ ତିଆରି କରିବାକୁ ନିବେଦନ କରିଛନ୍ତି ମମତା। ଯେତେବେଳେ ସମସ୍ତ ବିରୋଧୀ ଦଳ ଏକଜୁଟ ହେବେ ସେତେବେଳେ ବିଜେପି ପରାସ୍ତ ହେବ। ଏଭଳି ପରିସ୍ଥିତିରେ ଯେଉଁମାନେ ଭାରତକୁ ବିଭାଜନ କରନ୍ତି ସେମାନଙ୍କ ଉପରେ ଲୋକମାନେ ଜିତିବେ ବୋଲି ଦିଦି କହିଛନ୍ତି।
ମମତା ବାନାର୍ଜୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ବିଜେପି ସରକାର କିଛି କରିନାହିଁ। କେବଳ ଇତିହାସ, ଜୁମଲା ରାଜନୀତି ଏବଂ ଏନଆରସି ବଦଳାଇବା ନାମରେ ଜନସାଧାରଣଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସେ ମୋଦୀଙ୍କ ନାମ ନନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ‘ମନ କି ବାତ’ ନାମରେ ବିଜେପି ଲୋକଙ୍କୁ ମିଛ କହୁଛି।
ଆଗାମୀ ଦିନରେ ବିରୋଧୀ ପାର୍ଟି ଏକତା ପାଇଁ ଚେଷ୍ଟା କରୁଛନ୍ତି। ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟିଏମସି ସଭାପତି ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ବିରୋଧୀ ଏକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଯଦି ଏକାଠି ହୁଅନ୍ତି ବିଜେପି ପରାସ୍ତ ହେବ।
ନୀତୀଶ କୁମାରଙ୍କୁ ଭେଟିବା ପରେ ମମତା ବାନାର୍ଜୀ କହିଥିଲେ ଯେ ବିରୋଧୀ ଦଳ ଏକାଠି ବସି ପରବର୍ତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା କରିବେ। ଯଦି ଆମର ଲକ୍ଷ୍ୟ ସ୍ପଷ୍ଟ ତେବେ ଆମକୁ କେହି ଅଟକାଇ ପାରିବେ ନାହିଁ। ଆମେ ସମସ୍ତ ବିରୋଧୀ ଦଳ ସହ ଯୋଗାଯୋଗରେ ଅଛୁ। ଏଥି ସହ ନୀତୀଶ କୁମାର କହିଥିଲେ ଯେ ବାର୍ତ୍ତାଳାପ ସକରାତ୍ମକ ରହିଛି।