‘ରାତି ଅଧରେ ପ୍ରାର୍ଥୀଙ୍କ ପ୍ରଚାର’, ‘ଟଙ୍କା ବାଣ୍ଟୁଛନ୍ତି ସରକାରୀ କର୍ମଚାରୀ’; ସିିଇଓଙ୍କ ଦ୍ୱାରସ୍ଥ ହେଲେ ବିଜେପି-ବିଜେଡି

0

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଉପନିର୍ବାଚନରେ ବିଜେଡି, ମହିଳା ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କରିବା ସହ ଜନତାଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଇନ୍ ଉଲଘଂନ କରୁଥିବା ବିଜେପି ଅଭିଯୋଗ କରିଛି ।

ବିଜେପି କହିଛି, ସାଧାରଣ ନିର୍ବାଚନ ହେଉକି କି ଉପନିର୍ବାଚନ ସବୁବେଳେ ସରକାରୀ କର୍ମଚାରୀମାନେ ନିର୍ବାଚନ ନିୟମ ଉଲ୍ଲଘଂନ କରି ବିଜେଡିର କର୍ମୀ ଭଳି ପ୍ରଚାର କରୁଛନ୍ତି । ଗତକାଲି ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କୋଲାବିରା ବ୍ଲକ ଜିଲ୍ଲାପାଲି ଗ୍ରାମ ପଂଚାୟତର କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି) ଅସ୍ମିତା ନାୟକ, ବିନତା ନାୟକ, ଜେ.ପଣ୍ଡାକିମାଲ ଓ ପୂଜା ପଟେଲ ବିଜୁ ଜନତା ଦଳର ନିର୍ବାଚନୀ ପ୍ରଚାରରେ ସିଧାସଳଖ ଯୋଗ ଦେଇଥିଲେ ।

ସରବାହଲ ୧ନଂ ୱାର୍ଡର ଅଙ୍ଗନୱାଡି ଦିଦି ସୁରୁଚି ପାଢ଼ି ଖୋଲା ଖୋଲି ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ନାଁରେ ପ୍ରଚାର କରୁଛନ୍ତି । ଏହା କେବଳ ନିର୍ବାଚନର ଆଚରଣ ବିଧିକୁ ଉଲ୍ଲଘଂନ କରିବା ସହ ଲୋକପ୍ରତିନିଧି ଅଧିନିୟମ ୧୯୫୧ ଅନୁସାରେ ସରକାରୀ ଚାକିରି କରିଥିବା କୌଣସି ବ୍ୟକ୍ତି ପ୍ରାର୍ଥୀ ପାଇଁ ପ୍ରଚାର କରିପାରିବେ ନାହିଁ ।

ସରକାରୀ ଚାକିରିରେ ଥାଇ ସରକାରୀ ତହବିଲରୁ ଟଙ୍କା ନେଇ ବିଜେଡି ଦଳର ପ୍ରଚାର କରୁଥିବାରୁ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି । ଝାରସୁଗୁଡା ଉପନିର୍ବାଚନ ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ ହେଉ ।

ସେପଟେ ବିଜେଡି ମଧ୍ୟ ବିଜେପି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ବିଜେଡି ଅଭିଯୋଗ କରିଛି ବିଜେପି ପ୍ରାର୍ଥୀ ଟଙ୍କଧର ଭୋଇ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛି । ବିଜେଡିର ଅଭିଯୋଗ ଅନୁଯାୟୀ, ଟଙ୍କଧର ଭୋଇ ୫ ତାରିଖ ରାତି ଗୋଟାଏ ସମୟରେ ସାମସଙ୍ଗ ଛକ ମୁଣ୍ଡ୍ରା ଫାସନ ନିକଟରେ ସଭା କରିଥିଲେ ।

ଏ ସମ୍ପର୍କିତ ଫଟୋ ଓ ଭିଡିଓକୁ ପ୍ରମାଣ ହିସାବରେ ସିିଇଓଙ୍କୁ ଦେଇଛି ବଜେଡି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଜେଡି ଦାବି କରିଛି । ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି, ବିଜେପିକୁ ପରାଜୟ ଭୟ ଘାରିଛି । ସେଥିପାଇଁ ଦଳ ରାତି ଅଧରେ ବି ନିର୍ବାଚନ ପ୍ରଚାର କରୁଛି । ଏସବୁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବିଜେଡି ଅଭିଯୋଗ କରିଛି ।

Leave A Reply

Your email address will not be published.