ଭାଙ୍ଗିଲା ସ୍କୁଲ, କିନ୍ତୁ ମନରୁ ଯାଇନି ଭୟ: ବାହାନଗା ସ୍କୁଲରେ ଚାଲିଛି ହୋମ-ଯଜ୍ଞ, ପୂଜାପାଠ

0

ବାଲେଶ୍ୱର: ବାଲେଶ୍ୱରର ବାହାନଗା ଟ୍ରେନ ଦୁର୍ଘଟଣାକୁ ୨୦ ଦିନ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ସେଠାକାର ଲୋକଙ୍କ ମନରୁ ଯାଇନି ଭୟ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ଜଣ ଯାତ୍ରୀଙ୍କ ମୃତଦେହ ରଖାଯାଇଥିବା ସ୍କୁଲ ଘରକୁ ଯିବା ପାଇଁ ଏବେ ବି ପିଲାମାନେ ଭୟ କରୁଛନ୍ତି । ସେତିପାଇଁ ସ୍କୁଲଘରକୁ ଭଙ୍ଗା ଯାଇଥିଲା, ଏହାପରେ ବି ପିଲାମାନଙ୍କ ମନରେ ଏକ ଅଜଣା ଭୟ ବସା ବାନ୍ଧିଛି । ତେଣୁ ଆଜି ସ୍କୁଲ ଖୋଲିବା ପରେ କ୍ଲାସରୁମରେ ହୋମ ଯଜ୍ଞ କରାଯାଉଥିବା ଦେଖିବାକୁ ମିଳିଛି ।

ଆଜି ଖରାଦିନ ଛୁଟି ପରେ ଖୋଲିଛି ରାଜ୍ୟର ସମସ୍ତ ସ୍କୁଲ । ଏହାସହିତ ବାଲେଶ୍ୱର ବାହାନଗା ସ୍କୁଲ ମଧ୍ୟ ପାଠପଢା ପାଇଁ ଖୋଲାଯାଇଛି । କିନ୍ତୁ ପିଲାମାନଙ୍କ ମନରେ ସ୍କୁଲକୁ ନେଇ ଭୟ ଦେଖା ଦେଇଛି । କାରଣ ୨୦ ଦିନ ତଳେ ଏହି ସ୍କୁଲରେ ଶହ ଶହ ମୃତଦେହ ରଖା ଯାଇଥିଲା । ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ ସମସ୍ତ ଯାତ୍ରୀଙ୍କୁ ଏହି କ୍ଲାସରୁମ ଭିତରେ ରଖା ଯାଇଥିଲା । ତେବେ ଅବଶ୍ୟ ଏହାପରେ କିଛି ଶବକୁ ପରିବାର ଲୋକେ ନେଇ ଯାଇଥିବା ବେଳେ ଆଉ କିଛି ମୃତଦେହ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଘଟଣା ପରେ ସ୍କୁଲରେ ଭୂତ ଭୟ ଲୋକଙ୍କୁ ଘାରିଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ଆତ୍ମ ସେଠାରେ ଡରାଉଥିବା ଗୁଜବ ଭାଇରାଲ ହୋଇଥିଲା । ତେଣୁ ସ୍କୁଲ ଘରକୁ ଭାଙ୍ଗି ଦେଇଥିଲା ପ୍ରଶାସନ । ଏହାପରେ ଆଜି ସ୍କୁଲ ଖୋଲିବାରୁ ଏଠାରେ ହୋମ ଯଜ୍ଞ ଏବଂ ପୂଜାପାଠ କରାଯାଇ ଏହି ସ୍ଥାନକୁ ପବିତ୍ର କରାଯିବା ସହିତ ପିଲାଙ୍କ ପାଠପଢା ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ଗତ ଜୁନ୍ ୨ ତାରିଖରେ ଦଶନ୍ଧିର ସର୍ବବୃହତ ଟ୍ରେନ ଦୁର୍ଘଟଣା ଘଟି ଯାଇଥିଲା । ବାହାନଗା ଷ୍ଟେସନ ନିକଟରେ ୩ଟି ଟ୍ରେନର ଧକ୍କା ହେବା ପରେ ଘଟଣାସ୍ଥଳରେ ୨୮୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ଏବଂ ପ୍ରାୟ ୧୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାପରେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମଧ୍ୟ ଜଣ ଆହତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୨୯୨ରେ ପହଞ୍ଚିଛି । ତେବେ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆ ଯାଇଥିବା ବେଳେ ଏହାର ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.