ବଜେଟ ୨୦୨୩-୨୪: ପଲ୍ଲୀରୁ ଦିଲ୍ଲୀ ‘ଶ୍ରୀ ଅନ୍ନ’କୁ ନେଇ ଚର୍ଚ୍ଚା

0

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୩-୨୪ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଦୀ ସରକାର ଦ୍ୱିତୀୟ କାର୍ଯ୍ୟକାଳର ଏହି ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟରେ ଅର୍ଥମନ୍ତ୍ରୀ ଶ୍ରୀ ଅନ୍ନ ଯୋଜନା ବାବଦରେ ଉଲ୍ଲେଖ କରିଛନ୍ତି। ଅର୍ଥମନ୍ତ୍ରୀ ଦେଶରେ ଚାଷ ହେଉଥିବା ମିଲେଟସର ନାମ ପରିବର୍ତ୍ତନ କରି ଶ୍ରୀ ଅନ୍ନ ଘୋଷଣା କରିଛନ୍ତି। ଏବଂ ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ସୀତାରମଣ ଶ୍ରୀ ଅନ୍ନ ବାବଦରେ ଘୋଷଣା କରିବା ପରେ ସୋଶିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିସହ ଟ୍ବିଟରରେ ମଧ୍ୟ ଏହା ଟ୍ରେଣ୍ଡ ରହିଛି।

ସରାକରଙ୍କ ଏହି ଘୋଷଣା କରି କୃଷି କ୍ଷେତ୍ରରେ ଆଉ ଏକ ରୋଜଗାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ମିଲଟସର ଚାହିଦା ବିଶ୍ୱରେ ବୃଦ୍ଧି ପାଇଛି। ନିକଟରେ ଓଡ଼ିଶାର ମିଲେଟର ବିଦେଶରେ ପହଞ୍ଚିଥିବା ଟ୍ବିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ। ଏହି ମିଲେଟରେ ଗାଁରେ ଚାଷ ହେଉଥିବାରୁ ଦେଶର ଗରିବ ଲୋକଙ୍କୁ ରୋଜଗାର ବା ଆର୍ଥିକ ପ୍ରୋତ୍ସାହନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଶ୍ରୀ ଅନ୍ନ କ’ଣ?

‘ଶ୍ରୀ ଅନ୍ନ’ ବା ମିଲେଟ୍ ଶସ୍ୟ ଗୁଡିକ ଶସ୍ୟର ସବୁଠାରୁ ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ ଏବଂ କରୋନା ବେଳେ ପ୍ରତିରୋଧକ ଶକ୍ତି ଭାବରେ ଏହାର ଶକ୍ତି ବହୁ ଚର୍ଚ୍ଚିତ ହୋଇଥିଲା। ଭାରତ ହେଉଛି ଶ୍ରୀ ଅନ୍ନର ବୃହତ୍ତମ ଉତ୍ପାଦକ ତଥା ଦ୍ୱିତୀୟ ବୃହତ୍ତମ ରପ୍ତାନିକାରୀ। ଭାରତରେ ଅନେକ ପ୍ରକାରର ଶସ୍ୟ ଉତ୍ପାଦନ କରାଯାଏ ଯେଉଁଥିରେ ଜାଉ, ମାଣ୍ଡିଆ, ବାଜରା ଇତ୍ୟାଦି ରହିଛି।

ଶ୍ରୀ ଅନ୍ନର ଅନେକ ଲାଭ ଅଛି। ଏହା ଏକ ପୁଷ୍ଟିକର ଶସ୍ୟ ବୋଲି ଜଣାଶୁଣା ଏବଂ ଶ୍ରୀ ଅନ୍ନ ଶରୀର ପାଇଁ ଅନେକ ଲାଭ ପ୍ରଦାନ କରିଥାଏ। ଗହମ ଏବଂ ଚାଉଳ ଅପେକ୍ଷା ଏନଜାଇମ୍, ଭିଟାମିନ୍ ଏବଂ ମିନେରାଲ୍ସ ଏହି କଠିନ ଶସ୍ୟରେ ଅଧିକ ଥାଏ। ତେଣୁ ଏହାର ଅନେକ ଲାଭ ଅଛି ଏବଂ ଏହା କେଉଁ କାଳରୁ ଆମ ଖାଦ୍ୟର ଏକ ମୁଖ୍ୟ ଅଂଶ ପାଲଟିଛି। ଏହି ପୁଷ୍ଟିକର ଶସ୍ୟ ମଧ୍ୟ ଅନେକ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ।

ଏହା ବ୍ୟତୀତ, ଏହି ଶସ୍ୟଗୁଡିକ ଓଜନ କମାଇବା ପାଇଁ ଏବଂ ହାର୍ଟକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ। ନିକଟ ଅତୀତରେ ସରକାର ଏହାକୁ ପ୍ରୋତ୍ସାହିତ କରିବା ପାଇଁ ବହୁ ଉଦ୍ୟମ କରିଥିଲେ। ଇଂରାଜୀରେ ଏହାକୁ ମିଲେଟସ୍ ମଧ୍ୟ କୁହାଯାଏ। ଆର୍ଥିକ ଭାଷଣ ସମୟରେ ନିର୍ମଳା ସୀତାରମଣ କହିଛନ୍ତି, ‘ଏହି ଶ୍ରୀ ଅନ୍ନକୁ ଆମ ଖାଦ୍ୟର ଏକ ଅଂଶରେ ପରିଣତ କରିବା ପାଇଁ ବର୍ତ୍ତମାନ କାମ କରାଯିବ। ଏଥିପାଇଁ ହାଇଦ୍ରାବାଦର ଇଣ୍ଡିଆନ୍ ମିଲେଟ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍କୁ ଉତ୍କର୍ଷର କେନ୍ଦ୍ର କରିବାକୁ ପ୍ରସ୍ତୁତି ଚାଲିଛି।

ପ୍ରଧାନମନ୍ତ୍ରୀ ଏ ବିଷୟରେ କହିଥିଲେ, ‘ମିଲେଟଗୁଡିକର ଲୋକପ୍ରିୟତା ପାଇଁ ଭାରତ ଆଗରେ ଅଛି, ଯାହାର ବ୍ୟବହାର ପୁଷ୍ଟିକର ଖାଦ୍ୟ, ଖାଦ୍ୟ ନିରାପତ୍ତା ଏବଂ କୃଷକଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିଥାଏ।’

ଉଲ୍ଲେଖଯୋଗ୍ୟ, ମିଲେଟସକୁ ଓଡ଼ିଶା ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ମାଣ୍ଡିଆରେ ପ୍ରଚୁର ପରିମାର ପୋଷଣ ଶକ୍ତି ରହିଥିବାରୁ ଏହାର ଚାଷ ନିମନ୍ତେ ରାଜ୍ୟ ସରକାର ଅଧିକ ଗୁରୁତ୍ଵ ଦେଉଛନ୍ତି। ଆଗରୁ ମାଣ୍ଡିଆ ଚାଷ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରାଶିକୁ ୩ ବର୍ଷ ପରିବର୍ତ୍ତେ ୫ ବର୍ଷକୁ ବୃଦ୍ଧି କରାଯାଇଛି। ଏହା ସହିତ ହେକ୍ଟର ପିଛା ୧୦ ହଜାର ଟଙ୍କା ବଦଳରେ ୨୬,୫୦୦ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନଙ୍କୁ ମଧ୍ୟ ସ୍ଵାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ଟି ବ୍ଲକରେ ମିଲେଟ ମିଶନ କାର୍ଯ୍ୟକାରୀ ହେଉଛି।

Leave A Reply

Your email address will not be published.