ଭାରତୀୟ ବଜାରରେ ‘ଟେସଲା’ର ଏଣ୍ଟ୍ରି ପାଇଁ ରାସ୍ତା ପ୍ରସ୍ତୁତ, ଶସ୍ତା ହେବ ବିଳାସପୂର୍ଣ୍ଣ ଇଲେକ୍ଟ୍ରିକ୍ କାର!
ଭାରତୀୟ ବଜାରରେ ଏଣ୍ଟ୍ରି କରିବ ଆମେରିକୀୟ ମୋଟର କମ୍ପାନୀ ‘ଟେସଲା’ । ଟେସଲାକୁ ପ୍ରବେଶ ପାଇଁ ଭାରତ ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ଟେସଲା ଆସିବାରେ ଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇ ଜାନୁୟାରୀ ୨୦୨୪ ସୁଦ୍ଧା ଭାରତୀୟ ବଜାରରେ ପ୍ରବେଶ କରାଯାଇବା ପାଇଁ ସରକାର ସଫଳ ହେବେ ବୋଲି ଆଶା କରାଯାଉଛି।
ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଇଲେକ୍ଟ୍ରୋନିକ୍ ଯାନ ଉତ୍ପାଦନ ବିଷୟରେ ଆଲୋଚନା ହୋଇଥିଲା। ଏହି ସମୟ ମଧ୍ୟରେ ଟେସଲା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ବୈଠକରେ ଭାରତରେ ଟେସଲାର ପ୍ରସ୍ତାବିତ ପୁଞ୍ଜି ବିନିଯୋଗ ପାଇଁ ଅନୁମୋଦନକୁ ତ୍ୱରାନ୍ୱିତ କରିବାକୁ ଆଲୋଚନା ହୋଇଥିଲା। ପୂର୍ବରୁ ଭାରତ ସରକାରଙ୍କ ସହ ଏଲନ ମସ୍କଙ୍କ ଟେସଲା କମ୍ପାନୀ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି । ଭାରତରେ ବର୍ଷକୁ ୫ଲକ୍ଷ ଇଲେକ୍ଟ୍ରିକ କାର ନିର୍ମାଣ କରିବାକୁ ଟେସଲା ଲକ୍ଷ୍ୟ ରଖିଛି । ଏହି କାର ଗୁଡିକ ସର୍ବନିମ୍ନ ଦାମ ୨୦ଲକ୍ଷ ଟଙ୍କା ରହିବ ବୋଲି ଜଣାପଡିଛି। ଇଣ୍ଡୋ-ପେସିଫିକ ରିଜିଅନରେ ଟେସଲାର ଏକ୍ସପୋର୍ଟ ପାଇଁ ଭାରତରେ କମ୍ପାନୀ ନିବେଶ କରିବାକୁ ଯୋଜନା କରଛି ବୋଲି ଜଣାପଡ଼ିଛି । ଭାରତରେ ଉତ୍ପାଦନ ଓ ବିକ୍ରି ସହ ଅନ୍ୟ ରାଷ୍ଟ୍ରକୁ ରପ୍ତାନୀ କରିବାକୁ ଯୋଜନା କରିଛି କମ୍ପାନୀ ।
ଅନ୍ୟପଟେ ଗତ ଜୁନ୍ ମାସରେ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଟେସଲା ମାଲିକ ଏଲନ୍ ମସ୍କଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏହି ସମୟରେ ନିଜକୁ ମୋଦୀଙ୍କ ପ୍ରଶଂସକ କହିବା ସହ ମସ୍କ କହିଥିଲେ ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଭାରତରେ ଅଧିକ ସମ୍ଭାବନା ଭରି ରହିଛି। ଯାହା ପରେ ଭାରତକୁ ଟେସଲାର ଆସିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ୨୦୨୪ ଗଣତନ୍ତ୍ର ଦିବସ ଉତ୍ସବରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଅତିଥି ଭାବେ ଭାରତ ଆସୁଥିବାରୁ ଏହି ଗସ୍ତ ସମୟରେ ଟେସଲାର ଏଣ୍ଟ୍ରି ହୋଇପାରେ ବୋଲି କୁହାଯାଉଛି।
ଜାତୀୟ ଗଣମାଧ୍ୟମ ଖବର ଅନୁସାରେ ଭାରତ ସରକାର ବିଦେଶରେ ନିର୍ମିତ କାର ଉପରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରିପାରନ୍ତି। ୪୦,୦୦୦ ଡଲାରରୁ ଅଧିକ ମୂଲ୍ୟର କାରର ଆମଦାନୀ ଉପରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତ ଲାଗୁ ଥିବାବେଳେ ଅନ୍ୟ କାର ଉପରେ ୭୦ ପ୍ରତିଶତ ଟିକସ ଲାଗିଥାଏ। ଟେସଲାର ସର୍ବୋତ୍ତମ ବିକ୍ରି କାର ହେଉଥିବା ମଡେଲ ୱାଇ ଯାହାର ମୂଲ୍ୟ ୪୭,୭୪୦ ଡଲାର। ଏ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଟେସଲାର ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ଯଦି ସରକାର ଏଭଳି ନୀତି ଅବଲମ୍ବନ କରନ୍ତି, ତେବେ ଏହା ଦେଶରେ ବିଦେଶରୁ ଆମଦାନୀ ହୋଇଥିବା ଇଭି କାରର ମୂଲ୍ୟରେ ବହୁତ ହ୍ରାସ ଘଟାଇବ। ଏହାଦ୍ବାରା ଅନ୍ୟ ବିଦେଶୀ ଅଟୋ କମ୍ପାନୀଗୁଡିକ ପାଇଁ ମଧ୍ୟ ଭାରତର ଦ୍ୱାର ଖୋଲିଯିବ। ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ କାର ବଜାର, କିନ୍ତୁ ଦେଶରେ ଇଭି କାର ବିକ୍ରି ଦୁଇ ପ୍ରତିଶତରୁ କମ୍ ରହିଛି, ଯଦିଓ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ସୂତ୍ରରୁ ଜଣାପଡିଛି ଯେ ଆମଦାନୀ ଟିକସ ହ୍ରାସ ହେତୁ ଟେସ୍ଲା ଭାରତରେ ଏହାର ସମସ୍ତ ମଡେଲ ବିକ୍ରି କରିପାରିବ