ଭୁବନେଶ୍ୱର(୧୭/୮): ଭାଉଜକୁ ବଦନାମ କରିବାକୁ ବ୍ଲୁ ପ୍ରିଣ୍ଟ ବନାଇଲେ ଦିଅର । କର୍ଲଗାର୍ଲ ସଜାଇ ଅଶ୍ଲୀଳ ଫଟୋ ସହ ଫେସ୍ବୁକ୍ରେ ନକଲି ଆକାଉଣ୍ଟ ବନାଇଲେ । ସେଥିରେ ଭାଉଜଙ୍କ ନମ୍ବର ପୋଷ୍ଟ କଲେ । ଏମିତି ଅଭିଯୋଗରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି । ସେ ହେଲେ ଧନେଶ୍ୱର ବେହେରାଙ୍କ ଝିଅ ଶୁଭଶ୍ରୀ ବେହେରା(୩୦) । ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାର ଗୋବିନ୍ଦପୁର ଗାଁରେ । ସେପଟେ ଫେରାର୍ ଦିଅରକୁ ପୁଲିସ ଖୋଜୁଛି ।
ପୁଲିସ କହିଛି, ପାରିବାରିକ କଳହ ଯେ ଏତେ ନିମ୍ନସ୍ତରକୁ ଯାଇପାରେ ତାହା ଏହି ଘଟଣାରୁ ଅନୁମାନ କରାଯାଉଛି । ଅଭିଯୋଗକାରୀଙ୍କ କହିବା ମୁତାବକ, କିଛି ଦିନ ହେଲା ତାଙ୍କ ପାଖକୁ କିଛି ଅଜଣା ଫୋନ୍ କଲ୍ ଆସୁଥିଲା । ଅନ୍ୟପଟୁ ଲୋକମାନେ ଗ୍ରାହକ ସାଜି ତାଙ୍କୁ ଦେହଜୀବୀ ପାଇଁ ଡାକୁଥିଲେ । ନାନା ଅଶ୍ଲୀଳ ଟିପ୍ପଣୀ ଦେଉଥିଲେ । ପରେ ସେ ଜାଣିବାକୁ ପାଇଲେ, କେହି ତାଙ୍କ ନାଁରେ ଏକ ନକଲି ଫେସବୁକ୍ ଆକାଉଣ୍ଟ ଖୋଲିଛି । ସେଥିରେ ତାଙ୍କ ୨ଟି ମୋବାଇଲ ନମ୍ବରକୁ ପୋଷ୍ଟ କରିଛି ।
ଏକ ଅଜଣା ଝିଅର ଫଟୋକୁ ଅଶ୍ଳୀଳ ଭାବେ ଏଡିଟ୍ କରି ଉକ୍ତ ନକଲି ଫେସବୁକର ଡିପିରେ ରଖିଛି । ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା ଯେ, ଏପ୍ରକାର ଦଣ୍ଡନୀୟ ଅପରାଧ ପୀଡ଼ିତାଙ୍କର ନଣନ୍ଦ ଏବଂ ଦିଅର ମିଳିମିଶି କରିଛନ୍ତି । ପୁଲିସ ସେମାନଙ୍କୁ ଥାନାକୁ ଡକାଇଥିଲା । ସେମାନେ ତଦନ୍ତରେ କୌଣସି ପ୍ରକାରର ସହଯୋଗ କରି ନଥିଲେ । ଓଲଟି ପୁଲିସକୁ ଅଭଦ୍ର ଆଚରଣ କରିଥିଲେ ।