ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ପରମାଣୁ ଯୁଦ୍ଧ ପ୍ରସ୍ତୁତି: ମାଇକ୍ ପମ୍ପିଓଙ୍କ ଖୁଲାସା
ନୂଆଦିଲ୍ଲୀ: ୨୦୧୯ରେ ବାଲାକୋଟ୍ ସର୍ଜିକାଲ ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ଦେଖା ଦେଇଥିଲା। ଦୁଇ ଦେଶ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ। ଭାରତ-ପାକିସ୍ତାନକୁ ନେଇ ଏଭଳି ଆଶ୍ଚର୍ଯ୍ୟକର ତଥ୍ୟର ଖୁଲାସା କରିଛନ୍ତି ତତ୍କାଳୀନ ଆମେରିକା ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଇକ୍ ପମ୍ପିଓ।
ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି, ଭାରତ ମଧ୍ୟ ନିଜ ପ୍ରସ୍ତୁତି ଜାରି ରଖିଛି ବୋଲି ସେତେବେଳର ବିଦେଶମନ୍ତ୍ରୀ ସୁଷମା ସ୍ୱରାଜ ହିଁ ତାଙ୍କୁ କହିଥିବା ପମ୍ପିଓ ଖୁଲାସା କରିଛନ୍ତି।
ମଙ୍ଗଳବାର ଆମେରିକାରେ ମାଇକ୍ ପମ୍ପିଓଙ୍କ ପୁସ୍ତକ ‘ନେଭର ଗିଭ୍ ଆନ୍ ଇଞ୍ଚ୍, ଫାଇଟିଂ ଫର୍ ଦ ଆମେରିକା ଆଇ ଲଭ୍’ ଲଞ୍ଚ ହୋଇଛି। ଏହି ପୁସ୍ତକରେ ସେ ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ବିଷୟରେ ଉଲ୍ଲେଖ କରିଛନ୍ତି। ୨୭-୨୮ ଫେବ୍ରୁଆରୀରେ ଆମେରିକା ଓ ଉତ୍ତର କୋରିଆ ବୈଠକରେ ଯୋଗ ଦେବାକୁ ପମ୍ପିଓ ହାନୋଇ ଗସ୍ତ କରିଥିବା ବେଳେ ତାଙ୍କୁ ଏଭଳି ସୂଚନା ମିଳିଥିଲା। ଏହାପରେ ତାଙ୍କ ଟିମ୍ ଭାରତ ଓ ପାକିସ୍ତାନ ସହ ମିଶି ସାରାରାତି ଏଭଳି ବିପଦକୁ ଟାଳିବାକୁ ଉଭୟ ଦେଶ ସହ ଆଲୋଚନା କରିଥିଲା ବୋଲି ପମ୍ପିଓ ପୁସ୍ତକରେ ଲେଖିଛନ୍ତି।
ପମ୍ପିଓ ଏହି ପୁସ୍ତରେ ପରମାଣୁ ଯୁଦ୍ଧ କଥା ଉଲ୍ଲେଖ କରି ଲେଖିଛନ୍ତି “୨୦୧୯ ପେବ୍ରୁଆରୀରେ ଭାରତ-ପାକିସ୍ତାନର ଶତ୍ରୁତା କିଭଳି ପରମାଣୁ ଯୁଦ୍ଧର ରୂପ ନେଇଥିଲା ଏକଥା ସାରା ବିଶ୍ୱକୁ ହୁଏତ ଜଣାନଥିବ। ଏହାର ସଠିକ୍ ଉତ୍ତର ମୋତେ ବି ଜଣାନଥିଲା। ମୁଁ କନ୍ତୁ ଏତିକି ଜାଣିଥିଲି ଯେ ଏହି ସଂକଟ ଖୁବ୍ ନିକଟତର ହୋଇଯାଇଥିଲା।” ତେବେ ପମ୍ପିଓଙ୍କର ଏଭଳି ଖୁଲାସା ନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନା ଥାଉକି ୨୦୧୯ ଫେବ୍ରୁଆରୀ ମାସରେ ଭାରତ ପାକିସ୍ତାନ ଭିତରେ ପଶି ବାଲାକୋଟରେ ଥିବା ଜୈଶ-ଇ ମହମ୍ମଦ ଆତଙ୍କୀବାଦୀ କ୍ୟାମ୍ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା। ଏହାପରେ ପାକିସ୍ତାନ ବାୟୁସେନା ଏଫ୍-୧୬ ଭାରତ ବାୟୁସେନାର ଏମ୍ଆଇଜି-୧୨ ବିମାନକୁ ମାରି ଖସେଇ ଦେଇଥିଲା। ଯେଉଁଥିରେ ପାକ୍ ସୀମାରେ ଖସିପଡ଼ିଥିବା ଭାରତର ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ସେନା ୬୦ ଘଣ୍ଟା ଅଟକ ରଖିବା ପରେ ଛାଡ଼ି ଦେଇଥିଲା।
ପରମାଣୁ ଯୁଦ୍ଧ ନେଇ ପମ୍ପିଓ ଲେଖିଛନ୍ତି “ ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ ଉତ୍ତେଜନାକୁ ଶାନ୍ତ କରିବା ପାଇଁ ମୁଁ ଫେବ୍ରୁଆରୀ ୨୭-୨୮ ପାଇଁ ଦୁଇଦିନିଆ ହାନୋଇ ଗସ୍ତ କରିଥିଲି। ସେଠାରେ ମୁଁ ଏହି ଘଟଣା ବିଷୟରେ ଜାଣିବାକୁ ଜାଣିବା ପରେ ସାରା ରାତି ଭାରତ ଓ ପାକିସ୍ତାନ ସହ ବୈଠକ କରି ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲୁ।”
ପମ୍ପିଓ ଲେଖିଛନ୍ତି “ମୁଁ କେବେ ବି ଭିଏତନାମ ହାନୋଇ ସହର ସେଇ ରାତିକୁ ଭୁଲିପାରିବି ନାହିଁ। ଉତ୍ତର କୋରିଆ ସହ ପରମାଣୁ ଅସ୍ତ୍ର ବିଷୟରେ ଆଲୋଚନା କରିବା ଯଥେଷ୍ଟ ନଥିଲା। ଏଭଳି ସ୍ଥିତିରେ କାଶ୍ମୀରକୁ ନେଇ ଦଶନ୍ଧୀ ପୁରୁଣା ଘଟଣାରେ ଭାରତ-ପାକିସ୍ତାନ ପରସ୍ପରକୁ ଧମକାଇବା ଆରମ୍ଭ କରିଦେଇଥିଲେ। ବର୍ତ୍ତମାନ ସମୟରେ କିଛି ନ କରି ସମସ୍ୟାର ସମାଧାନ ପାଇଁ ଆମେରିକାକୁ କିଛି ସମୟ ଦିଅ ବୋଲି ମୁଁ ସୁଷମା ସ୍ୱରାଜଙ୍କୁ ଅନେକ ବୁଝାଇଥିଲି।”