ଦିଲ୍ଲୀରେ ସାମ୍ବାଦିକଙ୍କ ବେଡ଼ି ମାମଲା: କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ଲେଖିଲା ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ

0

ଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିଲାଣି ନୀଳଗିରିରେ ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଯିବା ମାମଲା । ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏହି ଘଟଣା ନେଇ ଗଭୀର ଉଦବେଗ୍ ପ୍ରକାଶ କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛି । ସାମ୍ବାଦିକଙ୍କ ଉପରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଡା ନିନ୍ଦା କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛି । ଏଡିଟର୍ସ ଗିଲ୍ଡ ହେଉଛି, ଜାତୀୟ ସ୍ତରରେ ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାର୍ଥ ରକ୍ଷା ପାଇଁ କାମ କରୁଥିବା ସଂସ୍ଥା ।

ସାମ୍ବାଦିକଙ୍କୁ ନ୍ୟାୟ ଦେବା ସହ ଜୁଲମ୍ କରୁଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ । ନୀଳଗିରି ଘଟଣା ସହ ମଧ୍ୟପ୍ରଦେଶରେ ଥାନାରେ ସାମ୍ବାଦିକଙ୍କୁ ଅର୍ଦ୍ଧ ଉଲଗ୍ନ କରାଯିବାକୁ ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

ଅନ୍ୟପଟେ ଏହି ଘଟଣାରେ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି କରାଯାଇଛି । ଦ୍ରୌପଦୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିଭଳି ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି । ତଦନ୍ତ ଶେଷ ନ ହେବା ଯାଏଁ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।

ସେହିଭଳି ସାମ୍ବାଦିକଙ୍କ ଗୋଡରେ ପୁଲିସ ବେଡି ପକାଇବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ପୂର୍ବାଞ୍ଚଳ ଆଇଜିଙ୍କୁ ରିପୋର୍ଟ ମାଗିଛନ୍ତି । ନିଜ ଆଡୁ ହସ୍ତକ୍ଷେପ କରି, ରାଜ୍ୟ ମାନବାଧିକାର କମିଶନ କହିଛନ୍ତି ପୂର୍ବାଂଚଳ ଆଇଜି ସଂପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ରିପୋର୍ଟ ଦିଅନ୍ତୁ । ଆସନ୍ତା ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ହୋଇଛି । ଏବଂ ଏହି ଅବଧି ଭିତରେ ବାଲେଶ୍ୱର ସିଡିଏମ ଓ ବିଏଚ୍ଓ ମଧ୍ୟ ତାଙ୍କ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

Leave A Reply

Your email address will not be published.