ଅପରେସନ୍‌ ତ୍ରିବେଣୀ’ରେ ସାହସ ପ୍ରଦର୍ଶନ ପାଇଁ ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’

0

ନୂଆଦିଲ୍ଲୀ: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’ ମିଳିବ । ଅପରେସନ୍‌ ତ୍ରିବେଣୀ’ରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ହେତୁ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’ ପ୍ରଦାନ କରାଯିବ। ଆସନ୍ତା ଅକ୍ଟୋବର ୮ ବାୟୁସେନା ଦିବସ ପ୍ୟାରେଡ଼ ରେ ତାଙ୍କୁ ଚିଫ ଅଫ ଏୟାର ଷ୍ଟାଫ ଏହି ସମ୍ମାନ ଜନକ ପଦକ ପ୍ରଦାନ କରିବେ।

 

ଭାରତୀୟ ବାୟୁସେନା ର ଏମ୍‌ଆଇ-୧୭-ଭି୫ ହେଲିକପ୍ଟର୍‌ ୟୁନିଟ୍‌ରେ ସମ୍ପ୍ରତି ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ର ଅବସ୍ଥାପିତ ଅଛନ୍ତି। ଚିନ୍ମୟ ଙ୍କ ଘର ରାଉରକେଲାର ଛେଣ୍ଡ କଲୋନୀରେ। ବାପା ନରେଶ ପାତ୍ର ଥିଲେ ଜଣେ ବ୍ୟବସାୟୀ ଓ ମା’ ସବିତା ଗୃହିଣୀ। ପିତାମାତାଙ୍କ ଚିନ୍ମୟ ହେଉଛନ୍ତି ଏକମାତ୍ର ପୁଅ।

 

ସ୍ଥାନୀୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ୧୦ମ ଏବଂ ସେଣ୍ଟପଲ ସ୍କୁଲରୁ ଯୁକ୍ତ ଦୁଇ ପାସ କରିବା ପରେ ୨୦୦୩ ରେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ରେ ଯୋଗଦେଇଥିଲେ।ଏହାପରେ ୨୦୦୭ ରେ ଭାରତୀୟ ବାୟୁସେନା ରେ କମିଶନ ହୋଇ ସ୍କ୍ବାର୍ଡନ ଲିଡ଼ର ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇବା ପରେ ୨୦୨୦ ମସିହାରେ ୱିଙ୍ଗ୍‌ କମାଣ୍ଡର ଭାବେ ପଦୋନ୍ନତି ହୋଇଥିଲା।

 

ଗତବର୍ଷ ଏପ୍ରିଲ ୩ ତାରିଖରେ ଛତିଶଗଡ଼ ସୁକମା ଜିଲ୍ଲାର ବିଜାପୁର ଅଞ୍ଚଳରେ ନକ୍ସଲ୍‌ମାନଙ୍କ ଭୟାବହ ଓ ଅତର୍କିତ ଆକ୍ରମଣ ପରେ ମୃତାହତ ଯବାନମାନଙ୍କୁ ଉଦ୍ଧାର ଓ ସ୍ଥାନାନ୍ତର କରିବା ନିମନ୍ତେ କାର୍ୟ୍ୟକାରୀ ହୋଇଥିବା ‘ଅପରେସନ୍‌ ତ୍ରିବେଣୀ’ର ଅଂଶବିଶେଷ ଭାବେ ୱିଙ୍ଗ୍‌ କମାଣ୍ଡର୍‌ ପାତ୍ର ତିନୋଟି ବିମାନର ନେତୃତ୍ବ ନେଇଥିଲେ।

 

ଏହି ‘ହାଇ-ରିସ୍କ୍‌’ ଅଭିଯାନରେ ଅପରିଚିତ ତଥା ପ୍ରତିକୂଳ ଅଞ୍ଚଳରେ ବିମାନ ଅବତରଣ କରାଇବା ଭଳି କାର୍ୟ୍ୟ ସମ୍ପାଦନ କରିବାକୁ ଥିଲା। ୱିଙ୍ଗ୍‌ କମାଣ୍ଡର ପାତ୍ର ପ୍ରାରମ୍ଭିକ ଯୋଜନାର ମୁଖ୍ୟ ଏବଂ ନିକଟରେ ଥିବା ନୋଡାଲ୍‌ ହେଲିପ୍ୟାଡ୍‌କୁ ଦୁଇଟି ବିମାନକୁ ବାଟ କଢ଼ାଇ ନେଇଥିଲେ। ଉକ୍ତ ହେଲିପ୍ୟାଡ୍‌କୁ ଆକାଶମାର୍ଗରୁ ନିରୀକ୍ଷଣ କରିବା ପରେ ସେ ଅବତରଣ କରି ‌ସ୍ଥଳବିଶେଷରେ ଥିବା ଯବାନମାନଙ୍କ ପରିସ୍ଥିତିର ପୁନଃସମୀକ୍ଷା କରିବା ସହ ‘ଅନ୍‌-ସାଇଟ୍‌ କାସ୍‌ ଇଭାକ୍‌’ରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ।

 

ପ୍ରତିକୂଳ ସ୍ଥାନରେ ଆକାଶମାର୍ଗରୁ ସମର୍ଥନ ଦେବାକୁ ସେ ତୃତୀୟ ହେଲିକପ୍ଟର୍‌ ଉଡ଼ାଣ ବ୍ୟବସ୍ଥା କରାଇଥିଲେ। କାରଣ, ଯେଉଁଠି ଏନକାଉଣ୍ଟର୍‌ ଯୋଗୁଁ ୨୨ ଯବାନ ସହିଦ ହେବା ସହିତ ଅନ୍ୟ ୨୨ ଯବାନ ଗୁରୁତର ଆହତ ହୋଇଥିଲେ ବାସ୍ତ‌ବରେ ତା’ହା ଆହୁରି କିଛି ଦୂରରେ ଥିଲା। ଏହାପରେ ବିପଦ ଥିବା ଅଞ୍ଚଳକୁ ଏଡ଼ାଇ ସେ ଏନ୍‌କାଉଣ୍ଟର୍‌ ସ୍ଥଳ ସଂଲଗ୍ନ ଅନ୍ୟ ଏକ ଅଞ୍ଚଳରେ ବିମାନ ଅବତରଣ କରାଇଥିଲେ। ସେଠାରୁ ସେ ୭ଜଣ ଆହତଙ୍କୁ ରାୟପୁର ସ୍ଥାନାନ୍ତର କରି ଦ୍ବିତୀୟ ହେଲିକପ୍ଟର୍‌କୁ ଅବତରଣ ସ୍ଥାନକୁ ବାଟ କଢ଼ାଇ ନେଇଥିଲେ। ଅସାମାନ୍ୟ ପ୍ରତିବଦ୍ଧତା, ଉପସ୍ଥିତ ବୁଦ୍ଧି ଏବଂ ତ୍ବରିତ ପଦକ୍ଷେପ ବଳରେ ସେ ୧୮ଜଣ ଆହତ ଏବଂ ୨୨ଜଣଙ୍କ ମରଶରୀରକୁ ଘଟଣାସ୍ଥଳରୁ ସ୍ଥାନାନ୍ତର କରିଥିଲେ।

Leave A Reply

Your email address will not be published.