ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ

0

ପୁରୀ: ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ (ପ୍ରମୁଖ ଯୋଦ୍ଧା) ଭାବରେ ଘୋଷଣା କରାଯାଉଛି । ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସେ ଚିଠି ଲେଖି ଅବଗତ କରାଇଛନ୍ତି ।

 

କ୍ରିଷନ୍ କୁମାର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ କରୋନା ସମୟରେ ବିଭିନ୍ନ ପ୍ରକାର କାମରେ ନିଜକୁ ନିୟୋଜିତ କରିଛନ୍ତି । ନୀଳାଚଳ ଭକ୍ତ ନିବାସରେ ଆଇସୋଲେସନରେ ଥିବା କରୋନା ସଂକ୍ରମିତ ସେବାୟତଙ୍କ ଯତ୍ନ ନେଇଛନ୍ତି । ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କୁ ଟିକାକରଣରେ ସହାୟତା କରିଛନ୍ତି ।

 

ଏହାସହ ମନ୍ଦିର ଭିତରେ ଓ ବାହାରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସମ୍ପାଦନ କରିବାରେ ସହଯୋଗ କରିଛନ୍ତି । ଶ୍ରୀଜିଉଙ୍କ ରଥକାମରେ ନିୟୋଜିତ ସେବାୟତଙ୍କ ରହଣି, ଖାଦ୍ୟପେୟ ବ୍ୟବସ୍ଥା ବି ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ କରୁଛନ୍ତି । ଏଥିପାଇଁ ସେମାନଙ୍କୁ କୋଭିଡ୍ ଓ୍ୱାରିୟର୍ସ ଭାବରେ ଘୋଷଣା କଲେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧା ସୁଯୋଗ ସେମାନେ ପାଇ ପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Leave A Reply

Your email address will not be published.