ଯୋଗକୁ ଗୁରୁତ୍ୱ ଦେଉନାହାନ୍ତି ରାଜଧାନୀବାସୀ: ସର୍ଭେ
ଭୁବନେଶ୍ୱର: ସାରା ବିଶ୍ୱରେ ବର୍ତ୍ତମାନ ଯୋଗକୁ ଗୁରୁତ୍ୱ ଦିଆଯାଉଛି। ଏହାସତ୍ବେ ସହରାଞ୍ଚଳ ବାସୀଙ୍କ ମଧ୍ୟରେ ଏହି ଅଭ୍ୟାସ ଆଦୃତ ହୋଇ ପାରି ନାହିଁ ବୋଲି ଏକ ସର୍ଭେରୁ ଜଣାପଡିଛି।
ଭୁବନେଶ୍ୱରରେ ମାତ୍ର ୧୭ ପ୍ରତିଶତ ଲୋକ ‘ଆସନ’, ‘ପ୍ରାଣାୟାମ’ ବା ‘ଧ୍ୟାନ’ କରୁଥିବା ବେଳେ ୧୦.୭ ପ୍ରତିଶତ ଲୋକ ଯୋଗର ବିଭିନ୍ନ ଅଭ୍ୟାସ କରିଥାନ୍ତି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗ ସର୍ଭେରୁ ଜଣାପଡିଛି।
ଡ଼ଃ ସତ୍ୟଜିତ ମହାନ୍ତି, ଡ଼ଃ ସନ୍ଦୀପ କୁମାର ପାଣିଗ୍ରାହୀ ଓ ଡ଼ଃ ଜ୍ୟୋତି ରଞ୍ଜନ ସାହୁଙ୍କ ଦ୍ଵାରା ଭୁବନେଶ୍ୱରର ୧୨୦୦ ରୁ ଅଧିକ ଲୋକଙ୍କୁ ନେଇ ଏହି ସାମ୍ପଲ ଷ୍ଟଡି କରାଯାଇଥିଲା।
ନିକଟରେ ଭାରତର ବିଭିନ୍ନ ରାଜ୍ୟର ରାଜଧାନୀ ଗୁଡ଼ିକ ମଧ୍ୟରେ ଭୁବନେଶ୍ଵର ଶ୍ରେଷ୍ଠ ୪ଟି ବାସପଯୋଗୀ ସହର ମଧ୍ୟରେ ସ୍ଥାନିତ ହୋଇଛି।
ଏହି ସର୍ଭେରୁ ଜଣାପଡିଛି ଯେ ପୁରୁଷ ମାନଙ୍କ ଅପେକ୍ଷା ଭୁବନେଶ୍ୱରରେ ମହିଳା ମାନେ ଅଧିକ ସଂଖ୍ୟାରେ ଯୋଗାଭ୍ୟାସ କରୁଛନ୍ତି। ତେବେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଲୋକମାନେ ଯୋଗାଭ୍ୟାସକୁ ଗ୍ରହଣ କରିବା ନିମନ୍ତେ ଅଧିକ ଆଗ୍ରହୀ ବୋଲି କହିଛନ୍ତି କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ।
ଯୋଗର ଗ୍ରହଣୀୟତା କ୍ଷେତ୍ରରେ ଭାରତରେ ଏହା ଦ୍ଵିତୀୟ ସର୍ଭେ ବୋଲି ପ୍ରଫେସର ରାଓ ସୂଚନା ଦେଇ କହିଛନ୍ତି ଯେ ପୂର୍ବ ସର୍ଭେ ଅନୁଯାୟୀ ପୂର୍ବ ଭାରତର ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ମାତ୍ର ୫.୩ ପ୍ରତିଶତ ଯୋଗକୁ ଗୁରୁତ୍ୱ ଦେଉଥିବା ଜଣାପଡିଥିଲା।
ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ ଉଚ୍ଚ ସାମାଜିକ ଓ ଅର୍ଥନୈତିକ ବର୍ଗର ବ୍ୟକ୍ତି ମାନେ ଯୋଗାଭ୍ୟାସ ନିମନ୍ତେ ବିଶେଷ ଆଗ୍ରହ ଦେଖାଉ ନାହାନ୍ତି। ତେବେ ଯେଉଁମାନେ ଯୋଗ କରୁଛନ୍ତି ସେମାନେ ଶାରୀରିକ ଭାବେ ସୁସ୍ଥ ଅଛନ୍ତି ଏବଂ ଭୁବନେଶ୍ବରରେ ୪୯ ପ୍ରତିଶତ ଡାକ୍ତର ତାଙ୍କ ରୋଗୀ ମାନଙ୍କୁ ଶାରୀରିକ ବ୍ୟାୟାମ ଭାବେ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଉଛନ୍ତି।
ତେବେ ଯୋଗାଭ୍ୟାସ ମଣିଷର ଉଭୟ ଶରୀର ଓ ମନ ଉପରେ ପ୍ରଭାବ ପକାଉ ଥିବା ସ୍ପଷ୍ଟ। ଉଚ୍ଚ ରକ୍ତ ଚାପ, ମଧୁମେହ, ବିଭିନ୍ନ ଯକୃତ ଜନିତ ସମସ୍ୟା, ଆଣ୍ଠୁଗଣ୍ଠି ସମସ୍ୟା, ଅଣ୍ଟା ଯନ୍ତ୍ରଣା, ଏବଂ ମାନସିକ ସମସ୍ୟାର ଉପଚାର ନିମନ୍ତେ ମଧ୍ୟ ଯୋଗ ଏକ ପ୍ରକୃଷ୍ଟ ମାଧ୍ୟମ।
ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହେବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତ୍ୟେକ ଦିନ ୩୦ ମିନିଟ ର ବ୍ୟାୟାମ ନିମନ୍ତେ ପରାମର୍ଶ ଦିଆଯାଇଥିବା ବେଳେ ଯୋଗ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ଏହି ରିପୋର୍ଟ ରେ ଉଲ୍ଲେଖ କରାଯାଇଛି।