ଦୁଃଖ ଖବର: ଆଉ ନାହାନ୍ତି ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜ

0

ଭୁବନେଶ୍ୱର: ଆଧ୍ୟାତ୍ମିକ ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ରାଜ୍ୟର ଜଣେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁଙ୍କ ପରଲୋକ ଘଟିଛି । ୮୮ ବର୍ଷ ବୟସରେ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜଙ୍କ ପରଲୋକ ଘଟିଛି । କଟକ ଜିଲ୍ଲା ଚହଟା ସ୍ଥିତ ରାମ ମନ୍ଦିରରେ ପରିସରରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଖବର ତାଙ୍କର ଅଗଣିତ ଶିଷ୍ୟ ଓ ଆଧ୍ୟାତ୍ମିକ ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଶୋକର ଲହରୀ ଖେଳାଇ ଯାଇଛି ।

ତେବେ ଦୀର୍ଘଦିନ ଧରି ସ୍ୱାମୀ ଅସୀମାନନ୍ଦ ବାର୍ଦ୍ଧକ୍ୟଜିତ ରୋଗରେ ଆକ୍ରାନ୍ତ ଥିଲେ । ଅସୀମାନନ୍ଦ ସ୍ୱାମୀ ନିଗମାନନ୍ଦ ସରସ୍ୱତୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ । ସେ ଶଙ୍କରାଚାର୍ଯ୍ୟଙ୍କ ଠାରୁ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ । ସେ ଏକାଧିକ ଅନୁଷ୍ଠାନ ସହିତ ଜଡ଼ିତ ହେବା ସହ ‘ଅସୀମାଲୋକ’ ନାମକ ଏକ ଲୋକପ୍ରିୟ ପତ୍ରିକା ପ୍ରକାଶ କରୁଥିଲେ ।

ସ୍ୱାମୀ ଅସୀମାନନ୍ଦ ଏକାଧାରାରେ ଜଣେ ଆଧ୍ୟାତ୍ମିକ ଗୁରୁ, ସମାଜ ସଂସ୍କାରକ, ସମାଜସେବୀ, ବାଗ୍ମୀ ବକ୍ତା ଓ ସାରସ୍ୱତ ସାଧକ ଥିଲେ । ତାଙ୍କର ମହାନ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ବ୍ୟକ୍ତି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିବା ସହିତ ତାଙ୍କର ମହାନ ବାର୍ତ୍ତାରେ ଉଦବୃଦ୍ଧ ହୋଇଥିଲେ । ସ୍ୱାମୀଙ୍କ ପରଲୋକ ପରେ ତାଙ୍କର ଶେଷ ଦର୍ଶନ ପାଇଁ ବହୁ ଭକ୍ତ ତଥା ପ୍ରଶଂସକ ରାମ ମନ୍ଦିରରେ ଭିଡ଼ ଜମାଇଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.