ଆସନ୍ତାକାଲି ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ

0

ଭୁବନେଶ୍ବର : ଆସନ୍ତାକାଲି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ଗଜପତି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ବିକାଶ ପାଇଁ ୪୯୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏହାସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

 

ଆସନ୍ତାକାଲି ଦିନ ୧୧ଟାରେ ହେଲିକପ୍ଟର ଯୋଗେ ଗଜପତି ଷ୍ଟାଡିୟମ ଠାରେ ପହଞ୍ଚିବେ । ସେଠାରୁ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଏହି କାର୍ଡ ଦ୍ବାରା ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମାଗଣାରେ ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଏହି ସ୍ମାର୍ଟ ହେଲଥ କାର୍ଡ । ରାଜ୍ୟ ସହ ଦେଶର ୨୦୦ଟି ହସପିଟାଲରେ କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇପାରିବେ ଲୋକେ ।

 

କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗଜପତି ଜିଲ୍ଲାର ୭ଟି ବ୍ଲକ ପାଇଁ ୭ଜଣ ମନ୍ତ୍ରୀ ଓ ଦଳୀୟ ଉପଦେଷ୍ଟାଙ୍କୁ ଦାୟିତ୍ବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ସଭାସ୍ଥଳ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିବା ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

Leave A Reply

Your email address will not be published.