ଏବେ ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ, ନିଷ୍ପତ୍ତି ସାମୟିକ ସ୍ଥଗିତ

0

ଭୁବନେଶ୍ୱର: ଏବେ ଖୋଲିବନି ପ୍ରାଥମିକ ସ୍କୁଲ । ବଦଳିଲା ନିଷ୍ପତ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ରଖିଛନ୍ତି ସରକାର। ଆସନ୍ତାକାଲିଠୁ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ସରକାର ଘୋଷଣା କରିଥିଲେ । ତେବେ ଗତ ଦୁଇ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଓ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ରିପୋର୍ଟକୁ ଦୃଷ୍ଟି ରଖି ଗଣଶିକ୍ଷା ବିଭାଗ ସାମୟିକ ସମୟ ପାଇଁ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି ।

ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଘୋଷଣା ପରେ ପଦାଧିକାରୀ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡିତ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ସ୍ୱାସ୍ଥ୍ୟଜନିତ ସ୍ଥିତି, ଦୁଇ ଦିନରେ କରୋନା ସଂକ୍ରମଣ ବୃଦ୍ଧି ଓ ପଦାଧିକାରୀଙ୍କ ରିପୋର୍ଟ ଆଧାରରେ ପିଲାମାନଙ୍କର ବୃହତ୍ତର ସ୍ୱାସ୍ଥ୍ୟଗତ ଦିଗକୁ ଦୃଷ୍ଟିରେ ରଖି ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଛନ୍ତି ।

ଜାନୁଆରୀ ୩ ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଥିଲେ । କରୋନା କେସ୍ ବଢୁଥିବାରୁ ନିଷ୍ପତ୍ତିରୁ ପୁନର୍ବିଚାର ପାଇଁ ଦାବି ହେଉଥିଲା । ଏହାଭିତରେ କାଲିଠୁ ୨୩ ହଜାର ପ୍ରାଥମିକ ସ୍କୁଲ ଖୋଲିବା ନେଇ ବ୍ୟବସ୍ଥା ହୋଇଥିଲା । ୧୦ ତାରିଖରୁ ଖୋଲିବାର ଥିଲା ବାକି ୩ହଜାର ୯୩ ବିଦ୍ୟାଳୟ । ପ୍ରାଥମିକ ସ୍କୁଲ ଏବେ ଖୋଲିବ ନାହିଁ । କିନ୍ତୁ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ଯାଏ ପାଠପଢ଼ା ପୂର୍ବଭଳି ଜାରି ରହିବ ।

ଜାନୁଆରୀ ୫ରୁ ୮ ତାରିଖ ଯାଏ ଦଶମ ଶ୍ରେଣୀର ସମେଟିଭ୍-୧ ପରୀକ୍ଷା ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ଅନୁଷ୍ଠିତ ହେବ । କୋଭିଡ୍ ଗାଇଡଲାଇନ୍ ଅନୁାସେର ସାମାଜିକ ଦୂରତା ରକ୍ଷା କରି ପରୀକ୍ଷା ହେବ ବୋଲି ସ୍ପଷ୍ଟ କରିଛି ଗଣଶିକ୍ଷା ବିଭାଗ ।

 

Leave A Reply

Your email address will not be published.