ରାଜ୍ୟରେ ୫୫ଟି ବ୍ଲକସ୍ତରୀୟ ବସ୍‍ଷ୍ଟାଣ୍ଡ ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି ସରକାର, ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା

0

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ତୃତୀୟ କାର୍ଯ୍ୟଦିବସ ଆଜି ସ୍ୱାଭାବିକ ବାତାବରଣ ମଧ୍ୟରେ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ପରିବହନ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫୫ଗୋଟି ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଆଉ ୫୦ଟି ନୂତନ ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷରେ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗୃହରେ ପ୍ରକାଶ କରିଛନ୍ତି।

 

ଏହା ସହିତ ଅନ୍ୟ କେତେକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣଙ୍କ ଗମନା ଗମନର ସୁବିଧା ପାଇଁ ରାଜ୍ୟ ସରକାର ରାଜ୍ୟର ପ୍ରତି ବ୍ଲକସ୍ତରରେ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବଂ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ତେବେ ସମ୍ପୃକ୍ତ ଜିଲ୍ଲାରେ ଜିଲ୍ଲାପାଳ ଓ ତହସିଲ୍‌ଦାରଙ୍କ ଠାରୁ ଜମିର ତଫସିଲ ପ୍ରାପ୍ତ ହେଲା ପରେ ସମ୍ପୃକ୍ତ ଜମିର ସର୍‌ଜମିନ କରାଯାଇ ବସ୍‌ଷ୍ଟାଣ୍ଡ ଉପଯୋଗୀ ହୋଇଥିଲେ ବିଭାଗ ନାମରେ ନାମିତ ହେଲା ପରେ ନିର୍ମାଣ କାର୍ଯ୍ୟ ପାଇଁ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

 

ସେହିଭଳି ପ୍ରଶ୍ନୋତ୍ତର କାଳରେ ସମୁଦାୟ ପାଞ୍ଚୋଟି ପ୍ରଶ୍ନ ଉପରେ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀମାନେ ଏହାର ଉତ୍ତର ରଖିଥିଲେ। ମହାନଦୀ ଅବବାହିକାରେ ସୁବର୍ଣ୍ଣପୁର ଜିଲ୍ଲା ମଧ୍ୟରେ ତିନୋଟି ବ୍ୟାରେଜ ବିପାଶିରା, ଖଇରମାଳ ଓ ଗୋଧନେଶ୍ୱରଠାରେ ନିର୍ମାଣ କରାଯିବାର ବ୍ୟବସ୍ଥା ନାହିଁ । କିନ୍ତୁ ଖଇରମାଳ ଓ ଗୋଧନେଶ୍ୱରଠାରେ ନଦୀ ଗର୍ଭ ଜଳାଶୟ ବା ଇନ୍‌ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍‌ଚର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବିଧାନ ସଭାରେ ପ୍ରକାଶ କରିଛନ୍ତି । ଶାସକ ଦଳ ବିଧାୟକ ଶ୍ରୀ ପଦ୍ମନାଭ ବେହେରାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ସାହୁ ଗୃହରେ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.