ପଶୁବଳିରେ ରକ୍ତରଞ୍ଜିତ ହେଲା ବଲାଙ୍ଗିରର ଶୁଲିଆ ପୀଠ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା ପାଇଁ ମଙ୍ଗଳବାର ଦିନ ରକ୍ତରଞ୍ଜିତ ହୋଇ ପଡିଛି ପୀଠ।
ଜିଲ୍ଲା ପ୍ରଶାସନର ବାରଣ ତଥା ବିଭିନ୍ନ କଟକଣା ସତ୍ୱେ ପାରମ୍ପରିକ ରୀତିନୀତିରେ ହଜାର ହଜାର ସଂଖ୍ୟାରେ ପଶୁବଳି ଦେଇଛନ୍ତି ଶ୍ରଦ୍ଧାଳୁ। ଏଥିସହିତ ଶ୍ରଦ୍ଧାଳୁମାନେ ବଡ ଧୂମଧାମରେ ପୂଜାରେ ଦେବାଦେବୀଙ୍କ ଆରାଧନା କରିଛନ୍ତି।
ଗତକାଲି ନିଶାର୍ଦ୍ଧରେ ପାରମ୍ପରିକ ରୀତିନୀତିରେ ‘ନିଶି ପୂଜା’ ଅନୁଷ୍ଠିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଶୁଳିଆ ପୀଠର ବଡ ଖଳା ଓ ସାନ ଖଳାରେ ପରମ୍ପରା ଅନୁସାରେ ହଜାର ହଜାର ସଂଖ୍ୟାରେ ପଶୁ-ପକ୍ଷୀ ବଳି ଦିଆଯାଇଥିବା ନେଇ ସୂଚନା ମିଳିଛି ।
ଏହି ଯାତ୍ରା ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜଣେ ମାଜିଷ୍ଟ୍ରେଟ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବା ନେଇ ସୂଚନା ମିଳିଛି ।