ମୌଳିକ କମ୍ପ୍ୟୁଟର ଶିକ୍ଷା ସମ୍ବନ୍ଧରେ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ

0

ଭୁବନେଶ୍ବର : କମ୍ପ୍ୟୁଟର ଶିକ୍ଷା ଯୋଗ୍ୟତାକୁ ଆଧାର କରି ଦାଖଲ ହୋଇଥିବା ମାମଲାକୁ ଶେଷ କରିବା ପାଇଁ ହାଇକୋର୍ଟଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ କହିଛନ୍ତି ଯେ, ଓକେସିଏଲ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରୋତ୍ସାହିତ ଏକ ସଂସ୍ଥା । ଯାହାକି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନରେ କାର୍ଯ୍ୟ କରୁଛି । ରାଜ୍ୟରେ କମ୍ପ୍ୟୁଟର ଶିକ୍ଷାର ପ୍ରଚାର ଓ ପ୍ରସାର କରି ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ବୈଷମ୍ୟତାକୁ ଦୂର କରିବା ଏହାର ମୂଳ ଉଦ୍ଦେଶ୍ୟ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ, ଓକେସିଏଲର ଅଧ୍ୟକ୍ଷ ଏବଂ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ସଚିବ ଓକେସିଏଲର ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଓକେସିଏଲ ଦ୍ବାରା ପ୍ରଦାନ କରାଯାଉଥିବା କମ୍ପ୍ୟୁଟର ପାଠ୍ୟକ୍ରମ ଓଏସ-ସିଆଇଟି, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ବାରା ଗଠିତ ଉଚ୍ଚ ବୈଷୟିକ କମିଟି ଦ୍ବାରା ଅନୁମୋଦିତ ଅଟେ । ଏହାର ଗୁଣବତ୍ତା, ଶିକ୍ଷାଦାନ ପ୍ରଣାଳୀ, ଶିକ୍ଷା ଗ୍ରହଣ ପ୍ରଣାଳୀ ଓ ଉପଯୁକ୍ତ ମୂଲ୍ୟାୟନକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ଓଏସ-ସିଆଇଟି ପରୀକ୍ଷା ପରିଚାଳନା କରି ସଫଳତାର ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ବାରା ଗତ ମାର୍ଚ୍ଚ ୧୯ ତାରିଖରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ଦର୍ଶଯାଇଥିଲା ଯେ, ସରକାରୀ, ଅର୍ଦ୍ଧସରକାରୀ ଓ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ପିଏସୟୁ ନିଯୁକ୍ତି କ୍ଷେତ୍ରରେ କେବଳ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟର ପିଜିଡିସିଏ, ଡିସିଏ, କେନ୍ଦ୍ର ସରକାରଙ୍କ ପରିଚାଳିତ ଏନଆଇଏଲଇଟିର ‘ଓ’ ଲେବଲ, ଏନଆଇସିଟିଇ ଦ୍ବାରା ସ୍ବୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ଓ ଓକେସିଏଲ ଦ୍ବାରା ପ୍ରଦାନ କରାଯାଉଥିା ଓଏସ-ସିଆଇଟି ପ୍ରମାଣପତ୍ରକୁ ଗ୍ରହଣ କରାଯିବ । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଏବଂ ଅଣସ୍ବୀକୃତିପ୍ରାପ୍ତ ପିଜିଡିସିଏ/ଡିସିଏ ପ୍ରମାଣପତ୍ର ଦେଇଥିବା ଆବେଦନକାରୀଙ୍କ ଆବେଦନପତ୍ରକୁ ଖାରଜ କରାଯାଇଥିଲା । ନିଯୁକ୍ତି ଆବେଦନ ଖାରଜ ହୋଇଥିବା ଆବେଦନକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିବା ବିଭିନ୍ନ ସଂସ୍ଥାମାନେ ସରକାରଙ୍କ ଏହି ବିଜ୍ଞପ୍ତିକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.