ପୁଅ ଆକାଉଣ୍ଟ୍ରେ ୧୮ ହଜାର ଟଙ୍କା ଥିବା ଖବରରେ ଉଦିତ୍ ନାରାୟଣ କହିଲେ ମୋ ଉପାର୍ଜିତ ସମସ୍ତ ସମ୍ପତ୍ତି ମୋ ପୁଅର, କ’ଣ କହିଲେ ଆଦିତ୍ୟ?
ବଲିଉଡ୍ର ଖ୍ୟାତନାମା କଣ୍ଠଶିଳ୍ପୀ ଉଦିତ୍ ନାରାୟଣଙ୍କ ପୁଅ ତଥା ଜଣାଶୁଣା ଟିଭି ହୋଷ୍ଟ୍ ଆଦିତ୍ୟ ନାରାୟଣ ଲକ୍ଡାଉନ୍ରେ ଅର୍ଥଶୂନ୍ୟ ହୋଇ ଯାଇଛନ୍ତି ଓ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରେ ଆଉ ମାତ୍ର ୧୮ ହଜାର ଟଙ୍କା ଅଛି ବୋଲି ଖବରଟି ବେଶ୍ ଚର୍ଚ୍ଚା ପାଲଟିଥିଲା। ଏହି ଖବର ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ବାପା ଉଦିତ୍ ନାରାୟଣ।
ଉଦିତ୍ ଆଦିତ୍ୟଙ୍କ ଗରିବୀ ଖବରରେ ନିଜର ବୟାନ ଦେଇ କହିଛନ୍ତି, ‘ବିଶ୍ବାସ କରନ୍ତୁ, ମୁଁ ମୋ ପୁଅର ଦେବାଳିଆ ଖବର ପାଇବା ପରଠାରୁ ମୋ ହସ ବନ୍ଦ ହେଉନାହିଁ। ଆଦିତ୍ୟ ଆମ ଦେଶର ଜଣେ ଶୀର୍ଷ ଟିଭି ଉପସ୍ଥାପକ। ତା’ ପାଖରେ କିପରି ଟଙ୍କାର ଅଭାବ ରହିପାରିବ? ସେ ବହୁତ ଟଙ୍କା ରୋଜଗାର କରିଛି, ଦେବାଳିଆ ହେବାର ପ୍ରଶ୍ନ ନାହିଁ । ସୋସିଆଲ୍ ମିଡିଆରେ ଗୁଜବ ଶୀଘ୍ର ପ୍ରଘଟ ହୋଇଯାଏ। ହୁଏତ ଆଦିତ୍ୟ ଅନ୍ୟ କିଛି କହିଛି ଏବଂ କେହି କେହି ତାହାକୁ ଭିନ୍ନ ଭାବେ ଉପସ୍ଥାପନ କରିଛନ୍ତି। ମୋ ପୁଅ ତା’ କ୍ୟାରିୟରରେ ବହୁତ ଭଲ କାମ କରୁଛି ଏବଂ ଯଦି କମ୍ ପଡ଼ିଯାଏ ତେବେ ତା’ ପିତା ଜୀବିତ। ମୋ ଜୀବନରେ କଠିନ ପରିଶ୍ରମ କରି ମୁଁ ଯାହା ଅର୍ଜନ କରିଛି, ତାହା ଆଦିତ୍ୟ ପାଇଁ।’
ଉଦିତ୍ ନାରାୟଣ ଆହୁରି ବି କହିଛନ୍ତି କି ‘ଆପଣ ଶୁଣିଥିବେ ନିଶ୍ଚୟ ଯେ ଆଦିତ୍ୟର ବାହାଘର ଡିସେମ୍ବରରେ ହେବ। ଥରେ ସେ ଝିଅ କଥା ଭାବନ୍ତୁ, କେହି କ’ଣ ରାଜି ହେବ ଏ ପରିସ୍ଥିତିରେ ବିବାହ ପାଇଁ। ସେ ଝିଅର ପରିବାର ଲୋକ କ’ଣ ଏମିତି ପିଲା ହାତରେ ତାଙ୍କ ଝିଅକୁ ଦେବାକୁ ଚାହିଁବେ ଯିଏ ତାଙ୍କ ଝିଅର ଦାୟିତ୍ବ ନେଇପାରିବ ନାହିଁ। ଏମିତି ହୋଇଥିଲେ ସେମାନେ ନିଶ୍ଚିତ ବିବାହ ପାଇଁ ମନା କରିଦେବେ।’
‘ଦେଖନ୍ତୁ ମୋ ପୁଅ ମୋତେ କିମ୍ବା ତା ମାଙ୍କୁ ଟଙ୍କା ବିଷୟରେ କେବେ କହିନାହିଁ। ତା‘ର ବହୁତ କାମ କରିବାକୁ ଅଛି। ତା’ ପାଖରେ ଯେ ଟଙ୍କା ନାହିଁ ଏହା କେବେ ହୋଇପାରିବ ନାହିଁ ।’ ଏହି ସବୁ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଆଶା କରେ ଲୋକମାନେ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିବେ ନାହିଁ।’
ଭାଇରାଲ୍ ହୋଇଥିବା ଏହି ଖବର ଉପରେ ନିଜେ ଆଦିତ୍ୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତ କି ସେ ଯେଉଁ ଭାବେ କହିଥିଲେ ଖବର ସେଭଳି ଭାବେ ପ୍ରକାଶ ପାଇନି। ଖବରକୁ ଅତିରଞ୍ଜିତ କରାଯାଇଛି। ମୁଁ ମଜାରେ ଏପରି କହିଥିଲି ବୋଲି ଆଦିତ୍ୟ ନିଜର ସଫେଇରେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଦିତ୍ୟ ନିକଟରେ ଏକ ସାକ୍ଷାତ୍କାରରେ ନିଜର ମତ ରଖି କହିଥିଲେ କି, ‘ଯଦି ସରକାର ଲକ୍ଡାଉନ୍କୁ ଆହୁରି ବୃଦ୍ଧି କରନ୍ତି ତେବେ ଲୋକମାନେ ଭୋକରେ ମରିବା ଥୟ। ମୋର ସମ୍ପୂର୍ଣ୍ଣ ସଞ୍ଚୟ ହ୍ରାସ ପାଇ ସାରିଲାଣି। ମୁଁ ପ୍ରକୃତରେ ମୋର ସମସ୍ତ ସଞ୍ଚୟ ଶେଷ କରି ଦେଇଛି। ମ୍ୟୁଚୁଆଲ ଫଣ୍ଡରେ ମୁଁ ବିନିଯୋଗ କରିଥିବା ସମସ୍ତ ଟଙ୍କାକୁ ମୋତେ ଉଠାଇବାକୁ ପଡ଼ିଲା, ବଞ୍ଚିବା ପାଇଁ। କାହିଁକି ନା, ଏପରି ଏକ ଯୋଜନା କେହି ତିଆରି କରିନାହାନ୍ତି ଯେ ମୁଁ ବର୍ଷ ଯାକ କାମ କରିବି ନାହିଁ ତଥାପି ବି କିଛି ଅସୁବିଧା ହେବନି। ଯେହେତୁ ଆପଣ କୋଟିପତି ନୁହଁନ୍ତି, ଆପଣଙ୍କ ନିକଟରେ କିଛି ବିକଳ୍ପ ନାହିଁ। ମୋ ଆକାଉଣ୍ଟ୍ରେ ଆଉ ମାତ୍ର ୧୮ ହଜାର ଟଙ୍କା ଅଛି। ତେଣୁ ଯଦି ମୁଁ ଅକ୍ଟୋବର ସୁଦ୍ଧା କାମ ଆରମ୍ଭ ନ କରେ, ମୋ ପାଖରେ ଆଉ ଟଙ୍କା ବଞ୍ଚିବ ନାହିଁ। ମୋତେ ମୋ ବାଇକ୍ କିମ୍ବା କିଛି ବିକ୍ରୟ କରିବାକୁ ପଡିବ। ଏହା ପ୍ରକୃତରେ ଖୁବ୍ କଷ୍ଟଦାୟକ ସତ।’
ଆପଣଙ୍କ ସୂଚନା ସକାଣେ ଜଣାଇ ଦେଉଛୁ ଯେ କଣ୍ଠଶିଳ୍ପୀ, ଅଭିନେତା ତଥା ଲୋକପ୍ରିୟ ବଲିଉଡ୍ ହୋଷ୍ଟ୍ ଆଦିତ୍ୟ ନାରାୟଣ ନିକଟ ଭବିଷ୍ୟତରେ ତାଙ୍କ ଦୀର୍ଘ ଦିନର ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆଦିତ୍ୟ ଓ ଶ୍ବେତାଙ୍କର ୨୦୧୦ ମସିହାରେ ସେମାନଙ୍କ ଡେବ୍ୟୁ ଫିଲ୍ମ ‘ସାପିଥ୍’ ସୁଟିଂ ସମୟରୁ ପ୍ରେମ ସଂପର୍କ ଅାରମ୍ଭ ହୋଇଥିଲା। ଦୀର୍ଘ ବର୍ଷ ଧରି ଏହି ସଂପର୍କକୁ ନିଭାଇବା ପରେ ଏବେ ସେ ଦୁହେଁ ବିବାହ ନିଷ୍ପତ୍ତି ନେଇଛନ୍ତି।