‘୨୦୧୭ରୁ ଲିଖିତ ପ୍ରତିଶ୍ରୁତି ମିଳିଛି, ମୁଖ୍ୟ ଶାସନ ସଚିବ କହିଲେ ମୁଁ କାଲି ଜାଣିଲି’

0

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କୁ ୨୮୦୦ ଗ୍ରେଡ୍ ପେ ଦେବା ନିମନ୍ତେ ବିଚାର କରାଯିବ ବୋଲି ୨୦୧୭ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ହେଲେ ମୁଖ୍ୟ ଶାସନ ସଚିବ କହିଛନ୍ତି ସେ ଏ ସମ୍ପର୍କରେ ଗତକାଲି ଜାଣିଲେ। ଖାଲି ଏତିକି ନୁହେଁ, ତୁମେମାନେ କୁଶଳୀ ନୁହେଁ ବୋଲି ମଧ୍ୟ କହିଲେ। ପ୍ରାଥମିକ ଶିକ୍ଷକ ସଂଘ ନେତୃତ୍ୱମାନଙ୍କୁ ମୁଖ୍ୟ ପ୍ରଶାସକ ଏହା କହିଥିବା ସୂଚନା ଦେଇଛନ୍ତି ସଂଘ ସଦସ୍ୟ ରାଜେଶ ମଣ୍ଡଳ। ଯାହାକୁ ନେଇ ଭୁବନେଶ୍ୱର ଗାନ୍ଧିମାର୍ଗରେ ୩ ଦଫା ଦାବି ନେଇ ବିଶାଳ ସମାବେଶ କରି ଧାରଣା ଦେଇଥିବା ପ୍ରାଥମିକ ଶିକ୍ଷକଙ୍କ ଭିତରେ ଅସନ୍ତୋଷ ଖେଳି ଯାଇଛି। ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ଶିକ୍ଷକ ସଂଘର ଆଲୋଚନା ବିଫଳ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି ଓ ଏହାକୁ ଦେଖି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସୂଚନା ଦିଆଯାଇଛି।

 

ଅଲୋଚନା ପରେ ଶିକ୍ଷକ ନେତାମାନେ ରାଜେଶ ମହାନ୍ତି କହିଛନ୍ତି, ସେମାନଙ୍କ ସମସ୍ୟା ସମାଧାନ କରିବାକୁ ସରକାରଙ୍କ ମାନସିକତା ନାହିଁ। କାରଣ ଅଲୋଚନା ବେଳେ ତାଙ୍କୁ ସ୍କିଲ କଥା କୁହାଗଲା। ହେଲେ ଆନ୍ଦୋଳନରତ ଶିକ୍ଷକମାନେ ୨୦୦୧ ମସିହାରୁ ଅବସର, ମୃତ୍ୟୁ, ଇସ୍ତଫା ମଞ୍ଜୁରୀ ପ୍ୟାକେଜ୍‌ରେ ନିଯୁକ୍ତି ପାଇଥିଲେ। ୧୫୦୦ ଟଙ୍କାରେ କାମ କରିବାକୁ ପଡ଼ିଥିଲା। ୬ ବର୍ଷ କାମ କରିବା ପରେ ରେଗୁଲାର କରାଗଲା।

 

ହେଲେ ସଚିବ କହୁଛନ୍ତି ସବୁକୁ ନେଇ ଏକ ଫର୍ମାଟରେ ପକାଇବା ପରେ ପ୍ରାଥମିକ ଶିକ୍ଷକଙ୍କୁ ସବୁ ସୁବିଧା ଦିଆଯିବ। ହେଲେ ଏହାର ଅର୍ଥ କ’ଣ ? ଦୀର୍ଘ ୨୦ ବର୍ଷ ହେବ ଶିକ୍ଷକମାନେ ଏହି ବିଭାଗରେ ସନ୍ତୁଳି ହେଉଛନ୍ତି। ଗଣଶିକ୍ଷା ବିଭାଗର ଅଜବ ବ୍ୟବସ୍ଥା ଦେଖି ଆଜି ଦୁଃଖ ଲାଗିଲା। ୨୦୧୭ ମସିହାରେ ଯେଉଁ ଦାବି ନେଇ ଅଲୋଚନା ହୋଇଥିଲା ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସେତେବେଳେ ୨୮୦୦ ଗ୍ରେଡ୍ ପେ ଦେବା ନିମନ୍ତେ ବିଚାର କରାଯିବ ବୋଲି ଯେଉଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଗଲକାଲି ହିଁ ଜାଣିବାକୁ ପାଇଥିବା ଆଲୋଚନା ବେଳେ ପ୍ରକାଶ କରିଥିଲେ। ଗଣଶିକ୍ଷା ବିଭାଗ ସଚିବ ଗତକାଲି ତାଙ୍କୁ ଏହା ଜଣାଇଥିଲେ ବୋଲି ମୁଖ୍ୟ ପ୍ରଶାସକ ଅଲୋଚନା ବେଳେ ଦର୍ଶାଇଥିଲେ।

 

ସମାନ ଶିକ୍ଷା ଓ ଦକ୍ଷତା ଥାଇ ଅନ୍ୟ ବିଭାଗର ଶିକ୍ଷକ ତଥା କର୍ମଚାରୀ ଅଧିକ ଦରମା ସହିତ ସୁବିଧା ପାଉଛନ୍ତି ବୋଲି ସେ ଅନୁଭବ କରିଛନ୍ତି। ମାତ୍ର ଦାବି ପୂରଣ କେବେ କରାଯିବ ଓ କେତେଦିନ ଲାଗିବ ତାହାର କୌଣସି ସ୍ପଷ୍ଟତା ବା ନିର୍ଦ୍ଦିଷ୍ଟତା ନାହିଁ। ଯାହା ଫଳରେ ଶିକ୍ଷକମାନଙ୍କ ଭିତରେ ହତାଶା ଭାବ ସୃଷ୍ଟି ହୋଇଛି। ମୁଖ୍ୟ ସଚିବ ଗୋଟିଏ କଥା କହିଲେ ସମାଧାନ କରାଯିବ, କିନ୍ତୁ ସମୟ ଲାଗିବ। ହେଲେ ଏହି ସମୟଟା କେତେଦିନ ? ଦିର୍ଘ ୫ ବର୍ଷ ଧରି ଆନ୍ଦୋଳନ କରିବା ପରେ ଏମିତି ଆଉ କେତେଦିନ ସେମାନଙ୍କ ଧର୍ଯ୍ୟକୁ ପରୀକ୍ଷା କରାଯିବ। ତେଣୁ ଏ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ରାଜରାସ୍ତାରେ ବସିଥିବା ଶିକ୍ଷକଙ୍କ ସମସ୍ୟା ସମାଧାନ କରନ୍ତୁ। ସଂଘ ଏକ୍‌ଜିକ୍ୟୁଟିଭ କମିଟି ବୈଠକରେ ଏନେଇ ଅଲୋଚନା ପରେ ଆନ୍ଦୋଳନ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ରାଜେଶ କହିଛନ୍ତି।

 

ଅନ୍ୟତମ ସଂଘ ନେତା କହିଛନ୍ତି, ସରକାର ଚୁପ୍ ରହିବା ଯୋଗୁ ଲକ୍ଷେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ବସିଛନ୍ତି। ଏହା ଦ୍ୱାରା ୫୫ ହଜାର ସ୍କୁଲରେ ପାଠପଢ଼ା ବ୍ୟାଘାତ ହୋଇଛି। ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ଆସି ସ୍କୁଲ ଆଲମିରାରେ ଅଛି। ହେଲେ ପରୀକ୍ଷା ହୋଇପାରୁନି। ପିଲାମାନଙ୍କ ପାଠପଢ଼ା ବ୍ୟାଘାତ ହୋଇଛି। ଯାହା ସେମାନଙ୍କୁ ଦୁଃଖିତ କରୁଛି। ତେଣୁ ସରକାର ତୁରନ୍ତ ପ୍ରାଥମିକ ଶିକ୍ଷକଙ୍କ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନିଅନ୍ତୁ।

 

ତେବେ ଏନେଇ ଗଣଶିକ୍ଷା ବିଭାଗ କିମ୍ବା ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳିପାରିନି।

Leave A Reply

Your email address will not be published.