ଗୁଜରାଟରେ ଯୋଗୀ ଆଦିତ୍ୟନାଥଙ୍କ ଷ୍ଟ୍ରାଇକ ରେଟ ୭୨%

0

ଅହମଦାବାଦ: ଗୁଜରାଟରେ ବିଜେପି ଐତିହାସିକ ବିଜୟ ହାସଲ କରିଛି। ଦଳ ୧୮୨ ବିଧାନସଭା ଆସନରୁ ୧୫୬ଟିରେ ଜିତି ନୂଆ ରେକର୍ଡ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟରେ ବିଜେପି କ୍ରମାଗତ ୭ମ ଥର ପାଇଁ ଜିତିଛି। ଏଥର ଗୁଜରାଟ ବିଧାନସଭା ନିର୍ବାଚନ ବିଜେପି ପାଇଁ ସମ୍ମାନର ଲଢ଼େଇ ଥିଲା। ଏଥିପାଇଁ ଏକାଧିକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ନିଜେ ପ୍ରଧାନମନ୍ତ୍ରୀ ମୋଦି ଘନଘନ ପ୍ରଚାର କରିଥିଲେ। ଏହାର ଫାଇଦା ମଧ୍ୟ ଦଳକୁ ମିଳିଛି।

 

ତେବେ ଗୁଜରାଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଷ୍ଟ୍ରାଇକ ରେଟ୍ ୭୨% ରହିଛି। ୨୦୧୭ରେ କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ଯେଉଁ ୧୧ଟି ଆସନ ଜିତିଥିଲେ, ସେଥି ମଧ୍ୟରୁ ୫ଟି ବିଜେପି ଯୋଗୀଙ୍କ ପାଇଁ ନିଜ ଦଖଲକୁ ଆଣିବାକୁ ସକ୍ଷମ ହୋଇଛି।

 

 

ଯୋଗୀ ଆଦିତ୍ୟନାଥ ପ୍ରଚାର କରିଥିବା ମୋଟ ୨୫ଟି ନିର୍ବାଚନ ମଣ୍ଡଳୀରୁ ବିଜେପି ୧୮ରେ ଜିତିଛି। ଏହି ସବୁ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଯୋଗୀଙ୍କ ରାଲି ଅତ୍ୟନ୍ତ ଆବଶ୍ୟକ ରହିଥିଲେ। ତେଣୁ ବିଜେପି ଯୋଗୀ ଆଦିତ୍ୟନାଥଙ୍କୁ ୨୫ଟି ଆସନରେ ପ୍ରଚାର କରିବାକୁ ଦେଇଥିଲା।

 

ତଥ୍ୟ ଅନୁସାରେ, ଯୋଗୀ ପ୍ରଚାର କରିଥିବା ୨୫ଟି ଆସନରୁ ୨୦୧୭ରେ କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ୧୧ଟି ଆସନ ଜିତିଥିଲେ। ଏହି ୧୧ଟି ଆସନ ମଧ୍ୟରୁ ବିଜେପି ୫ଟି ଏଥର ଛଡ଼ାଇ ଆଣିଛି। ରାପର, ଧରଙ୍ଗାଧ୍ରା, ସବରକୁଣ୍ଡଲା, ବୀରଗାମ ଓ ଧାଣ୍ଡୁକାରେ ପଦ୍ମ ଫୁଟିଛି। ଏହି ସବୁ ଆସନ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ହେଲେ ଦଳକୁ ଏଥର ବିଜେପି ଝଟକା ଦେଇଛି।

 

ତେବେ ପୋରବନ୍ଦର, ଗରିୟାଧର ଓ ଭାଘୋଡିଆ ଆସନକୁ ବିଜେପି ଠାରୁ ଯଥାକ୍ରମରେ କଂଗ୍ରେସ, ଆପ୍‌ ଓ ସ୍ୱାଧୀନ ପ୍ରାର୍ଥୀ ଛଡ଼ାଇ ଆଣିଛନ୍ତି। ଏହି ସବୁ ଆସନରେ ଯୋଗୀ ପ୍ରଚାର କରିଥିଲେ। ହେଲେ ବିଜେପି ଏଠାରେ ଫାଇଦା ପାଇନାହିଁ।

 

ହିମାଚଳ ପ୍ରଦେଶରେ ମଧ୍ୟ ଯୋଗୀଙ୍କ ପ୍ରଚାର ବିଜେପିକୁ ମିଶ୍ରିତ ଫଳ ଦେଇଛି। କାରଣ କଂଗ୍ରେସ ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରିଛି। ଯୋଗୀ ହିମାଚଳ ପ୍ରଦେଶର ୧୬ଟି ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। କିନ୍ତୁ ବିଜେପି କେବଳ ୬ଟିରେ ଜିତିବାକୁ ସକ୍ଷମ ହୋଇଛି। ବିଜେପି ପାଖରେ ପୂର୍ବରୁ ଥିବା କସାଉଲି, ଜାୱାଲି, ଜୱାଲାମୁଖୀ, ଘୁମାରୱିନ, ଡୋନ ଓ ଗାଗରେଟ ମଧ୍ୟରୁ କଂଗ୍ରେସ ଗୋଟିଏରେ ଆସନ ଛଡ଼ାଇ ଆଣିଛି।

Leave A Reply

Your email address will not be published.