ରେଭ ପାର୍ଟିରୁ ସାପ ବିଷ ଜବତ: ଗିରଫ ହୋଇ ପାରନ୍ତି ବିଗ ବସ ୱିନର ଏଲଭିସ ଯାଦବ

0

ବିଗ ବସ ୱିନର ଏଲଭିସ ଯାଦବଙ୍କୁ ନେଇ ଗୁରୁତର ମାମଲା ସାମ୍ନାକୁ ଆସିଛି । ନୋଏଡା ପୋଲିସ ଏକ ରେଭ ପାର୍ଟିରୁ ସାପ ବିଷ ଜବତ କରିଛି । ସାପବିଷ ରେଭ ପାର୍ଟିରେ ବ୍ୟବହାର ହେଉଥିବା ନେଇ ଏଫଆଇଆରରେ ଦର୍ଶାଯାଇଛି । ଏଫଆଇଆରରେ ଏଲଭିସ ଯାଦବଙ୍କ ନାଁ ରହିଛି । ଏହି ମାମଲାରେ ଏଲଭିସଙ୍କୁ ଗିରଫ କରାଯାଇପାରେ ବୋଲି ସୂଚନା ମିଳିଛି ।

ଏପଟେ ମାମଲାକୁ ଖଣ୍ଡନ କରିଛନ୍ତି ଏଲଭିସ । ସେ ଏ ନେଇ ଏକ ଭିଡିଓ ପୋଷ୍ଟ କରି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଏବଂ ଏଥି ସହିତ ତାଙ୍କର କୌଣସି ଲେନଦେନ ନାହିଁ ବୋଲି କହିଛନ୍ତି । ଭିଡିଓରେ ସେ କହିଛନ୍ତି, ‘ସକାଳୁ ଉଠି ମିଡିଆ ନ୍ୟୁଜ ଦେଖିଲି ଯେ, ଏଲଭିସ ଯାଦବ ନିଶା କାରବାର କରନ୍ତି ଏବଂ ସେ ଗିରଫ ହୋଇଛନ୍ତି ।’ ହେଲେ ଏ ସବୁ ଅଭିଯୋଗ ମିଛ । ସେ ୟୁପି ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଥିବା କହିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରି କହିଛନ୍ତି, ‘ଯଦି ମୋ ବିରୋଧରେ ଏକ ପ୍ରତିଶତ ଆରୋପ ସତ ପ୍ରମାଣିତ ହୁଏ ତେବେ ମୁଁ ସବୁ ଦୋଷ ମୁଣ୍ଡାଇବାକୁ ପ୍ରସ୍ତୁତ ଅଛି । ‘ବିନା ପ୍ରମାଣରେ ତାଙ୍କ ବିରୋଧରେ ଏପରି ଅଭିଯୋଗ ନ ଆଣିବାକୁ ସେ ନିବେଦନ କରିଛନ୍ତି ।

ଅନ୍ୟପକ୍ଷେ ଆଜି ସକାଳୁ ସକାଳୁ ନଏଡାରେ ପୋଲିସ ତଦନ୍ତ ବେଳେ ନିଶା କାରବାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସକୁ ରାହୁଲ ନାମକ ଜଣେ ସାପୁଆଙ୍କ ପାଖରୁ ୨୦ ଏମଏଲ ଜହର ମିଳିଥିଲା । ଏହି ମାମଲାରେ ଏଲଭିସଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ତିନି ରାଜ୍ୟର ପୋଲିସ ତାଙ୍କୁ ଖୋଜୁଛି ।

ହରିଆନାର ଏଲଭିସ ବିଗ ବସ ଓଟିଟି-୨ ଜିତିଥିଲେ । ତେବେ ତାଙ୍କ ସଂପୃକ୍ତି ନେଇ କଂଗ୍ରେସ ନେତା ମନୋହର ଲାଲ ଖଟ୍ଟର ଆଶ୍ଚର୍ଯ୍ୟ ହୋଇଛନ୍ତି । ଅନ୍ୟପକ୍ଷେ ସାଂସଦ ମେନକା ଗାନ୍ଧି ପ୍ରତିକ୍ରିୟା ରଖି କହିଛନ୍ତି, ଇନଫ୍ଲୁଏନ୍ସର ଏଲବିସ ଯାଦବ ଏହି ଘଟଣାକୁ ପ୍ରୋତ୍ସାହନ ଦେଇଛନ୍ତି । ତେଣୁ ତାଙ୍କୁ ଗିରଫ କରାଯିବା ଉଚିତ । ସୂଚନାଥାଉ କି, ମେନକା ଗାନ୍ଧୀଙ୍କ ସହ ଜଡିତ ସଂସ୍ଥା ପିପୁଲ ଫର ଆନିମଲ କଷ୍ଟମର ହୋଇ ଏହି ନିଶା କାରବାରର ପର୍ଦ୍ଦାଫାଶ କରିଛନ୍ତି ।

Leave A Reply

Your email address will not be published.