ଏ ବର୍ଷ ବି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

0

ପୁରୀ: ମିଳିବନି ଦୁର୍ଲଭ ସୁନାବେଶ ଦର୍ଶନ । ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣମୀରେ ହେବାକୁ ଥିବା ଶ୍ରୀଜୀଉଙ୍କ ଦୁର୍ଲଭ ଦର୍ଶନରୁ ଏଥର ବି ବଞ୍ଚିତ ହେବେ ଭକ୍ତ । ୨ ବର୍ଷ ଧରି କରୋନା କଟକଣା ପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରି ପାରି ନଥିଲେ ଶ୍ରଦ୍ଧାଳୁ ।

 

ଏ ବର୍ଷ କଟକଣା ନଥିବାରୁ ଭକ୍ତ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଆଶା ବାନ୍ଧି ଥିଲେ । ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡ଼ୁ଼ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ କରିଛି ।

 

ଚନ୍ଦ୍ର ଗ୍ରହଣ ଦିନ ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ, ଦେବନୀତି ନିଷେଧ ହେବ । ଆଉ ସେହି ଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି । ତେବେ ଦେବ ନୀତି ନିଷେଧ ଓ ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯିବ ।

 

ଫଳରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ୮ ତାରିଖ ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟା ନୀତି, ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜାଧିରାଜ ବେଶ ସରିବ । ସକାଳ ୫ଟା ୫୦ ସୁଦ୍ଧା ଭୋଗ ମଣ୍ଡପ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।

 

ଦିନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗନୀତି ହୋଇ ଅନ୍ୟାନ୍ୟ ନୀତି ଥିବାରୁ ଏହି ଦିନ ସୁନାବେଶ ଦେଖିବା ସମ୍ଭବ ପର ହେବ ନାହିଁ । ସେହିପରି ଆସନ୍ତା ୪ରୁ ପଞ୍ଚୁକ ଆରମ୍ଭ ହେଉଥିବାରୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଭାବେ ନୀତି କାନ୍ତି ସମ୍ପାଦନ ସେନେଇ ସମସ୍ତ ନିଯୋଗକୁ ଅନୁରୋଧ କରିଛି ପ୍ରଶାସନ ।

 

ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.