ଆସନ୍ତା ୯ ତାରିଖରେ ସୃଷ୍ଟି ହୋଇପାରେ ବାତ୍ୟା ! ଆଇଏମଡିର ଡିଜି ଦେଲେ ବଡ଼ ବୟାନ

0

ଭୁବନେଶ୍ୱର: ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଏମଡିର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି । ପୂର୍ବ ଆକଳନ ଅନୁସାରେ ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ ହେବ । ୬ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ । ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ରେ ଅବପାତର ରୂପ ନେବ । ଏହା ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟା ରୂପ ନେଇପାରେ ।

ଏହାର ପ୍ରଭାବରେ ପାଗ ଖରାପ ରହିବ ଏବଂ ତେଣୁ ମତ୍ସ୍ୟଜୀବୀମାନେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରକୁ ଯିବା ଉଚିତ ନୁହେଁ। ପୂର୍ବ ଉପକୂଳ ପାଇଁ ଏଭଳି ସତର୍କ ସୂଚନା ଜାରି କରାଯାଇ ନାହିଁ ଏବଂ କେବଳ ମତ୍ସ୍ୟଜୀବୀ ମାନଙ୍କୁ ସମୟ ପୂର୍ବରୁ ଫେରି ଆସିବାକୁ ଚେତାବନୀ ଦିଆଯାଇଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିବା ବେଳେ ଗ୍ରୀଷ୍ମ ଋତୁର ଗତି ଜଟିଳ ହୋଇଥିବାରୁ ପ୍ରଶାସନକୁ ଆଗୁଆ ପ୍ରସ୍ତୁତ ରହିବାକୁ ସେ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ।

୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା। ଆମ ପାଇଁ ସବୁ ଜୀବନ ମୂଲ୍ୟବାନ। ତେଣୁ ଏଥିରେ କୌଣସି ବିଳମ୍ବ ନ କରି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ସେବା ଆଦି ଆଗୁଆ ରହିବାକୁ ସେ ପରାମର୍ଶ ଦେବା ସହିତ ଆବଶ୍ୟକ ସହିତ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ।

ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ବାତ୍ୟା ସଂପର୍କରେ ନିୟମିତ ସମୀକ୍ଷା କରିବା ସହିତ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖି ସମସ୍ତ ବିଭାଗ ସହିତ ସମନ୍ବୟ ରଖି କାମ କରିବାକୁ ସେ ନିର୍ଦେଶ ଦେଇଥିଲେ।

Leave A Reply

Your email address will not be published.