ପ୍ୟାରୀଙ୍କ ମାର୍ଗରେ ବବି, ନୂଆ ବର୍ଷ ସନ୍ଦେଶକୁ ନେଇ ଚର୍ଚ୍ଚା

0

ଭୁବନେଶ୍ୱର: କୋଟିଏ ସଦସ୍ୟ ବିଶିଷ୍ଟ ଦଳ ବିଜେଡିର କର୍ମୀଙ୍କଠୁ ଆରମ୍ଭ କରି ଆଗଧାଡ଼ିର ନେତାମାନେ ନିଜର ନୂଆବର୍ଷ ସନ୍ଦେଶରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଫଟୋଚିତ୍ରକୁ ସ୍ଥାନିତ କରୁଥିବାବେଳେ ନିଜ ଫେସବୁକ୍ ଓ ଟ୍ୱିଟର ଆକାଉଣ୍ଟରେ ଖୋଦ୍ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦେଇଥିବା ନୂଆବର୍ଷ ସନ୍ଦେଶକୁ ନେଇ ଏବେ ଦଳରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଏକଦା ବିଜେଡିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ର ଯେଉଁ ତ୍ରୁଟି କରି ନବୀନଙ୍କ ସହ ତାଙ୍କର ମତାନ୍ତର ହୋଇଥିଲେ ଏବେ ବିଜେଡିର ସବୁଠୁ ପାୱାରଫୁଲ ନେତା ବବି ମଧ୍ୟ ଅନୁରୂପ ତ୍ରୁଟି ଦୋହରାଇବାକୁ ଯାଉଥିବା ଚର୍ଚ୍ଚା ।

 

ସୂଚନା ଅନୁସାରେ, ୨୦୦୯ରେ ବିଜେଡିରେ ସାମିଲ ହୋଇ ଏବେ ଦଳର ସବୁଠୁ ପାୱାରଫୁଲ୍ ନେତା ଭାବେ ପରିଚିତ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ୨୦୨୩ ମସିହା ନବବର୍ଷ ଅବସରରେ ଗତକାଲି ନିଜର ଉଭୟ ଫେସବୁକ୍ ଓ ଟ୍ୱିଟର ଆକାଉଣ୍ଟରୁ ‘ନବବର୍ଷ ଶୁଭେଚ୍ଛା’ ସନ୍ଦେଶର ସମାନ ଫଟୋଚିତ୍ର ଓ ବାର୍ତ୍ତା ଦେଇଛନ୍ତି । ନିଜର ଭେରିଫାଏଡ୍ ଟ୍ୱିଟର ଆକାଉଣ୍ଟରୁ ନବବର୍ଷର ଶୁଭେଚ୍ଛା ଦେବା ସହ ଯେଉଁ ଫଟୋଚିତ୍ର ଦେଇଛନ୍ତି, ସେଥିରେ କେବଳ ନିଜର ଫଟୋ ରଖିଛନ୍ତି । ସେଥିରେ ନା ଅଛି ଦଳୀୟ ଚିହ୍ନ, ନା ଅଛି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚିତ୍ର ଅବା ଅନ୍ୟ ଅଛି । ଯେଉଁ ଦଳ ଓ ଦଳର ସୁପ୍ରିମୋଙ୍କ ପାଇଁ ବବି ଏବେ ବିଜେଡି ତଥା ରାଜ୍ୟର ସବୁଠୁ ପାୱାରଫୁଲ ରାଜନେତା, ସେହି ନେତାଙ୍କ ଫଟୋ ଅବା ଦଳୀୟ ଚିହ୍ନକୁ କାହିଁକି ସେ ନିଜର ନୂଆବର୍ଷ ସନ୍ଦେଶ ବ୍ୟାନରରେ ସାମିଲ କଲେନି, ତାକୁ ନେଇ ପ୍ରଶ୍ନ ଉଠିଛି । ଦଳର ସାଧାରଣ କର୍ମୀଙ୍କଠୁ ଆରମ୍ଭ କରି ଆଗଧାଡ଼ିର ନେତା, ମନ୍ତ୍ରୀ ଓ ବିଧାୟକମାନେ ଯେତେବେଳେ ସଂଗଠନ ସମ୍ପାଦକ ଭାବେ ବବିଙ୍କ ଫଟୋକୁ ନିଜର ନୂଆବର୍ଷ ସନ୍ଦେଶ ବ୍ୟାନର ହେଉ ଅବା ସୋଶାଲ ମିଡିଆ ଆଦିରେ ଉପଯୋଗ କରୁଛନ୍ତି, ସେତେବେଳେ ଖୋଦ୍ ବବି ନିଜର ନେତା ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋକୁ ନବବର୍ଷ ସନ୍ଦେଶରେ ସାମିଲ କରିବାକୁ କିଭଳି ଭୁଲିଗଲେ? ଏହା ଉଦ୍ଦେଶ୍ୟମୂଳକ ନା ରାଜନୀତିକ ମହତ୍ୱାକାଂକ୍ଷା- ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

 

ରାଜନୀତିକ ବିଶ୍ଲେଷକଙ୍କ ମତରେ ୨୦୦୯ ସାଧାରଣ ନିର୍ବାଚନ ଓ ୨୦୧୨ ପଂଚାୟତ ନିର୍ବାଚନ ପରେ ବିଜେଡିର ତତକାଳୀନ ଚାଣକ୍ୟ ତଥା କ୍ଷମତାକେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ ଫଟୋକୁ ଦଳର ଆଗଧାଡ଼ିର କର୍ମୀଠୁ ଆରମ୍ଭ କରି ସବୁ ନେତାମାନେ ବିଭିନ୍ନ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ସହ ଉପଯୋଗ କରୁଥିଲେ । ପ୍ୟାରୀଙ୍କ ଦ୍ୱାରା ସେତେବେଳେ ଦଳର ସମସ୍ତ ସାଂଗଠନିକ କାର୍ଯ୍ୟ ସମ୍ପାଦିତ ହେଉଥିବାରୁ ତାଙ୍କୁ ଖୁସି କରିବାକୁ ଦଳୀୟ କର୍ମୀ ଓ ନେତାମାନେ ଅଧିକ ଉତ୍ସାହିତ ହୋଇ କେତେକ ସ୍ଥାନରେ ନବୀନଙ୍କ ଫଟୋଚିତ୍ର ତୁଳନାରେ ପ୍ୟାରୀଙ୍କ ଫଟୋକୁ ବଡ଼ ଆକାରରେ ସେମାନଙ୍କ ପୋଷ୍ଟର ଓ ବ୍ୟାନରରେ ସ୍ଥାନିତ କରୁଥିଲେ । ଯାହାକୁ ନେଇ ସେତେବେଳେ ନବୀନ ନିଜେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆଉ ପ୍ୟାରୀଙ୍କ ପ୍ରତି ଦଳୀୟ କର୍ମୀ ଓ ନେତାଙ୍କ ଅତ୍ୟଧିକ ଅନୁରକ୍ତି ତଥା ନବୀନଙ୍କ ନିରବତା ହିଁ ପରୋକ୍ଷରେ ପ୍ୟାରୀଙ୍କୁ ଅଧିକ ମହତ୍ୱାକାଂକ୍ଷୀ କରିଦେଇଥିଲା । ଯେଉଁଥିପାଇଁ ୨୦୧୨ ମେ’ ୨୯ ଭଳି ଘଟଣା ବିଜେଡି ରାଜନୀତିରେ ସମ୍ଭବପର ହୋଇଥିଲା ଆଉ ପ୍ୟାରୀ ନିଜର ରାଜନୀତିକ ଅସ୍ତିିତ୍ୱ ହରାଇ ବସିଥିଲେ।

 

ଚର୍ଚ୍ଚା ହେଉଛି, ଗତ ଜୁନ୍ ମାସରେ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଅସନ୍ତୁଷ୍ଟ ଥିବା ବବିଙ୍କ ତ୍ରୁଟିପୂର୍ଣ୍ଣ ରଣନୀତି ତଥା ଏକପାଖିଆ ନିଷ୍ପତ୍ତି ଯୋଗୁ ଧାମନଗର ଉପନିର୍ବାଚନରେ ବିଜେଡିକୁ ପରାଜିତ ହେବାକୁ ପଡ଼ିଲା । ଆଉ ପଦ୍ମପୁର ଉପନିର୍ବାଚନରେ ବବି ପ୍ରାୟ ୨୫ଦିନ ସେଠାରେ ଉପସ୍ଥିତି ରହିଥିଲେ ମଧ୍ୟ ଦଳର ବିଭିନ୍ନ ବର୍ଗର ନେତାମାନଙ୍କ ସହଯୋଗ ଓ ନବୀନ ପଟ୍ଟନାୟକଙ୍କ ସିଧାସଳଖ ସମ୍ପୃକ୍ତି ଯୋଗୁ ବିଜେଡି ପ୍ରାର୍ଥୀଙ୍କ ଜିତିବା ସମ୍ଭବପର ହୋଇପାରିଥିଲା । ଏବେ ବବି ନିଜେ ସରକାରରେ ଗୁରୁଦାୟିତ୍ୱ ସହ ନିଜର ଘନିଷ୍ଠ ସହଯୋଗୀ ସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଜିତିବାର ଶ୍ରେୟ ଦେଇ ମନ୍ତ୍ରୀ କରିବା ନିମନ୍ତେ ଚାପ ପକାଉଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.