‘ମଧ୍ୟପ୍ରଦେଶ ରାଜନୀତି’, ତୀଵ୍ର ହେଉଛି ବିଜେପି କଳି

0

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ବ୍ୟାପକ କାର୍ଯ୍ୟକ୍ରମ କରୁଛନ୍ତି। ବିଜେପି ପକ୍ଷରୁ ସାରା ଦେଶରେ ଏବେ ମହା ଜନସମ୍ପର୍କ ଯାତ୍ରା ଚାଲିଥିବା ବେଳେ ମଧ୍ୟପ୍ରଦେଶରେ ବି ଯାତ୍ରା ଚାଲିଛି।

ଆଗକୁ ନିର୍ବାଚନ ଥିବାରୁ ରାଜ୍ୟରେ ଯାତ୍ରାକୁ ବ୍ୟାପକ ଭାବେ କରାଯାଉଛି। କିନ୍ତୁ ଏ ଭିତରେ ଦଳର ଗୋଷ୍ଠୀକନ୍ଦଳ ପଦାକୁ ଆସିଛି। ମଧ୍ୟପ୍ରଦେଶର ବିଜେପି ନେତାମାନେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଓ ସାଂସଦ ରୋଡ଼ମଲ ନାଗରଙ୍କ କାର୍ଯ୍ୟକ୍ରମରେ ଅସନ୍ତୋଷ ଜାହିର କରିଛନ୍ତି।

ଏହି ଅବସରରେ ନେତାମାନେ ନିଜ ନିଜ ମଧ୍ୟରେ ଲଢେ଼ଇ କରୁଥିବା ଭିଜୁଆଲ ମଧ୍ୟ ଭାଇରାଲ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳୀୟ କାର୍ଯ୍ୟକ୍ରମରେ ନେତାଙ୍କୁ ଉପେକ୍ଷା କରାଯିବା ସହ ଉଚିତ ସମ୍ମାନ ନ ମିଳିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ମୋଦୀଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବହୁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ଗସ୍ତରେ ଆସୁଛନ୍ତି। ତେଣୁ ଦଳ ନିଜ ସପକ୍ଷରେ ବାତାବରଣ ତିଆରି କରୁଥିବା ବେଳେ ଦଳ ଭିତରେ ଏଭଳି ବିରୋଧ ଓ ଅସନ୍ତୋଷ ଦଳୀୟ ନେତାଙ୍କ ଚିନ୍ତା ବଢାଇଛି।

ଆଗକୁ ନିର୍ବାଚନ ଥିବାବେଳେ ଦଳର କିଛି ପ୍ରମୁଖ ନେତା ପୂର୍ବତନ ମନ୍ତ୍ରୀ ଓ ବିଧାୟକ ବିଜେପି ଛାଡି କଂଗ୍ରେସରେ ମିଶିଛନ୍ତି। ଏପରିକି ସିନ୍ଧିଆ ଗୋଷ୍ଠୀ ଓ ବିଜେପିର ମୂଳ ଗୋଷ୍ଠୀ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି।

କିଛି ଦିନ ତଳେ ବିଜେପିର ଜଣେ ସାଂସଦ କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କୁ ଟାର୍ଗେଟ କରି ବର୍ଷିଥିଲେ। ଦଳ ଭିତରେ ଥିବା ଅସନ୍ତୋଷକୁ ଦୂର ନ କଲେ ଏହା ନିର୍ବାଚନ ବେଳେ ଦଳକୁ ବ୍ୟାପକ କ୍ଷତି ପହଞ୍ଚାଇବ ବୋଲି ଖୋଦ ଦଳୀୟ ନେତାମାନେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଅନ୍ୟ ନେତୃତ୍ୱଙ୍କୁ ଜଣାଇଛନ୍ତି।

ସେପଟେ କଂଗ୍ରେସ ଏ ସବୁର ଫାଇଦା ନେବାକୁ କୌଣସି ବି ସୁଯୋଗର ହାତଛଡା କରୁନି। ତେଣୁ ଆଗକୁ ଏହା କିଭଳି ରୂପ ନେଉଛି ତାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି ।

Leave A Reply

Your email address will not be published.