ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ: ‘ସ୍ମାର୍ଟ’ ଯୁଗର ମହାବିପ୍ଲବ

0

ମୟୂରଭଞ୍ଜ : ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ । ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ମୟୁରଭଞ୍ଜ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ମୟୂରଭଞ୍ଜରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଣିଲା ନୂଆ ବିପ୍ଳବ । ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ ଓଡ଼ିଶା ।

 

ମୟୂରଭଞ୍ଜ ଜିଲ୍ଲାରେ ୬ଲକ୍ଷ ହିତାଧିକାରୀ ବିଏସକେୱାଇ ସ୍ମାର୍ଟକାର୍ଡର ଲାଭ ପାଇବେ। ସେହିପରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ୨ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ନବୀନ। ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୩୪ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶାର ଲକ୍ଷ୍ୟ ରଖି ଅଗଷ୍ଟ ୧୫ ତାରିଖରୁ ଏହି ଡିଜିଟାଲ କାର୍ଡର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମହିଳାମାନେ ୧୦ଲକ୍ଷ ଓ ପୁରୁଷମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପାଇବେ। ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ।

 

ମୟୁରଭଞ୍ଜ ଜିଲ୍ଲାରେ ବିକାଶ କାମକୁ ତ୍ବରାନ୍ବିତ କରାଯାଉଛି । ଗତ ଜୁଲାଇରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ କେନାଲରୁ ପାଣି ଛଡା ଯାଇଥିବା ବେଳେ, ୯୪ଟି ଗାଁର ୧୫ ହଜାର ହେକ୍ଟର ଜମି ପାଣି ପାଉଛି । ସେହିପରି ମୟୁରଭଂଜର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦେବା ପାଇଁ ୩୨୦୦ କୋଟି ଟଙ୍କାର ମେଗା ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଧାରାକୁ ଆଗେଇ ନେଇ ଆଜି ଆହୁରି ୨୩୦୦ କୋଟି ଟଙ୍କାର ୫୦୦ରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ ।

 

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ମାଟିରେ ଜନ୍ମ ନେଇଥିବା ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମହାରାଜ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନକୁ ମନେ ପକାଇବା ସହ ଭାଷା ଓ ଜାତିକୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଣ୍ଡିତ ରଘୁନାଥ ମୁର୍ମୁ, ଗୁରୁ ରୋହିଦାସ ସିଂ ନାଗ ଓ ଗୁରୁ ଲାକୋ ବଦ୍ରାଙ୍କ ଅବଦାନକୁ ସ୍ମରଣ କରିଥିଲେ । ମୟୁରଭଞ୍ଜର କଳା ଓ ସାହିତ୍ୟର ଉଚ୍ଚପ୍ରଶଂସା କରି ଝୁମର ଗୀତ ଓ ଛଉ ନାଚର ପ୍ରସିଦ୍ଧି ସଂପର୍କରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.