ଭିଜିଲାନ୍ସ ଜାଲରେ ପୂର୍ବତନ ପ୍ରାଣୀଧନ ଚିକିତ୍ସକ
ବଡବିଲ(୨୪/୦୮): ପୂର୍ବତନ ପ୍ରାଣୀଧନ ଚିକିତ୍ସକ ଲଲାଟେନ୍ଦୁ ଆଇଚଙ୍କ ଯୋଡ଼ା ବାସଭବନରେ ଭିଲିଲାନ୍ସ ଟିମ୍ ଚଢ଼ାଉ କରିଛି । ଏକ ୬ ଜଣିଆ ଭିଜିଲାନ୍ସ ଟିମ୍, ଲଲାଟେନ୍ଦୁଙ୍କ ଯୋଡ଼ା, ବନେଇକଳା ବାସଭବନରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜଲାନ୍ସ ପକ୍ଷରୁ ଗତ ୨୦୧୮ ମସିହା ନଭେମ୍ବର ମାସରେ ଲଲାଟେନ୍ଦୁ ଆଇଚଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ଉ ହୋଇଥିଲା ।
ଫୁଲବାଣୀ ସରକାରୀ କାର୍ଯ୍ୟାଳୟ ଓ ବାସଭବନ, ପୈତୃକ ଘର ବେରୁଣାପଦୀ ଏବଂ ଯୋଡ଼ା ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢାଉ କରିବା ସହ ଆୟବର୍ହିଭୂତ ସମ୍ପତ୍ତି ଠାବ କରିଥିଲା । ଏନେଇ ଏକ ମାମଲା ରୁଜ୍ଜୁ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ଚାର୍ଜସିଟ ଦାଖଲ ହୋଇପାରିନାହିଁ । ତେବେ ଆଜି କଟକ ଓ କେନ୍ଦୁଝରରୁ ଭିଜିଲାନ୍ସର ଟେକ୍ନିକାଲ ଟିମ୍ ଯୋଡ଼ାରେ ପହଞ୍ଚି ଲଲାଟେନ୍ଦୁଙ୍କ ବିଲ୍ଡିଂର ମାପଚୁପ ଆରମ୍ଭ କରିଛନ୍ତି ।
ପ୍ରକୃତରେ କେତେ ଅଞ୍ଚଳରେ ବିଲ୍ଡିଂ ରହିଛି ଏବଂ ଏଥିରେ କେତେ ଟଙ୍କା ବିନିଯୋଗ କରାଯାଇଛି ସେନେଇ ତନ୍ନତନ୍ନ କରି ହିସାବ କରୁଛି ଭିଜିଲାନ୍ସ ଟିମ୍ । ଖୁବ୍ ଶୀଘ୍ର ଏହି ମାମଲାରେ ଚାର୍ଜସିଟ ଦାଖଲ କରାଯିବ ବୋଲି ସୂଚନା ମିଳିଛି ।