ବିଲ୍‌କିସ୍‌ ବାନୋଙ୍କ ଆବେଦନର ଶୁଣାଣିରୁ ଓହରିଲେ ଜଷ୍ଟିସ ତ୍ରିବେଦୀ

0

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋଙ୍କ ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି। ତାଙ୍କ ଆବେଦନରର ଶୁଣାଣି କରିବାକୁ ଯାଉଥିବା ଖଣ୍ଡପୀଠରୁ ହଠାତ୍‌ ଜଷ୍ଟିସ ବେଲା ଏମ ତ୍ରିବେଦୀ ଓହରି ଯାଇଛନ୍ତି। ଫଳରେ ଆବେଦନର ଶୁଣାଣି ଆଉ ଗୋଟିଏ ବେଞ୍ଚଙ୍କ ଆଗରେ ଲିଷ୍ଟିଂ କରାଯିବ। ଏହାପରେ ହିଁ ବିଲକିସ ବାନୋଙ୍କ ଆବେଦନର ଶୁଣାଣି ହେବ।

୨୦୦୨ ମସିହା ଗୁଜରାଟ ଦଙ୍ଗା ବେଳେ ବିଲକିସ୍‌ ବାନୋଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ୧୧ ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ଗୁଜରାଟ ସରକାର ସମସ୍ତ ୧୧ ଦୋଷୀଙ୍କୁ ସ୍ୱତନ୍ତ୍ର କ୍ଷମା ନୀତି ବଳରେ ଜେଲରୁ ଖଲାସ କରି ଦେଇଛନ୍ତି। ଏହା ବିରୋଧରେ ବିଲକିସ ବାନୋ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଏହାର ଶୁଣାଣି ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠରେ ହେବାର ଥିଲା। ହେଲେ ଆଜି ଜଷ୍ଟିସ ତ୍ରିବେଦୀ ହଠାତ୍‌ ବିଲକିସ୍‌ ବାନୋଙ୍କ ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି। ଏନେଇ ଅଜୟ ରସ୍ତୋଗୀ ଶୁଣାଣି ବେଳେ ବିଲକିସ ବାନୋଙ୍କ ଓକିଲ ଶୋଭା ଗୁପ୍ତାଙ୍କୁ ଜଣାଇଛନ୍ତି।

ସେ କହିଛନ୍ତି, “ଆମ ଦୁଇ ଜଣଙ୍କ ମଧ୍ୟରୁ ଜଣେ ନଥିବା ଅନ୍ୟ ଏକ ବେଞ୍ଚରେ ଶୁଣାଣି ପାଇଁ ଆବେଦନକୁ ଉପସ୍ଥାପନ କରନ୍ତୁ।” ଶୋଭା ଗୁପ୍ତା ଶୀତ ଛୁଟି ପୂର୍ବରୁ ଏହି ଆବେଦନର ଶୁଣାଣି ପାଇଁ ନିବେଦନ କରିଛନ୍ତି।

କ’ଣ ପାଇଁ ଜଷ୍ଟିସ ତ୍ରିବେଦୀ ଶୁଣାଣିରୁ ଓହରିଲେ, ସେକଥା ଜଣାପଡ଼ିନି। କିନ୍ତୁ ସେ ୨୦୦୪ରୁ ୨୦୦୬ ଯାଏ ଗୁଜରାଟରେ ଆଇନ ସଚିବ ଭାବେ କାମ କରିଥିଲେ। ସମ୍ଭବତଃ ଏହି କାରଣ ପାଇଁ ସେ ବିଲକିସ ବାନୋଙ୍କ ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି।

୧୧ ଦୋଷୀଙ୍କ ରିଲିଜ୍‌କୁ ଚ୍ୟାଲେଞ୍ଜ କରିବା ବ୍ୟତୀତ ବିଲକିସ ବାନୋ ମେ’ ମାସରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ୧୯୯୨ ମସିହାର କ୍ଷମା ନୀତିକୁ ବିଚାର କରିବାକୁ ଦେଇଥିବା ଅନୁମତିକୁ ମଧ୍ୟ ପୁନଃ ସମୀକ୍ଷା କରିବାକୁ ନିବେଦନ କରିଛନ୍ତି।

ନଭେମ୍ବର ୩୦ରେ ବିଲକିସଙ୍କ ପକ୍ଷରୁ ଆଇନଜୀବୀ ଶୋଭା ଗୁପ୍ତା ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଗରେ ମାମଲାର ଶୁଣାଣି ପାଇଁ ଆବେଦନ ଦାଖଲ କରିଥିଲେ।

ଆବେଦନରେ ବିଲକିସ କହିଛନ୍ତି ଯେ ସମସ୍ତ ୧୧ ଦୋଷୀଙ୍କୁ ଆଗୁଆ ଖଲାସ କରାଯିବା ସମ୍ପର୍କିତ ଫାଇଲ ସେ ଗୁଜରାଟ ସରକାରଙ୍କୁ ମାଗିଥିଲେ। ହେଲେ ବାରମ୍ବାର ଆବେଦନ ସତ୍ତ୍ୱେ ସରକାର କୌଣସି ପ୍ରକାରର ପଦକ୍ଷେପ ନେଇ ନାହାନ୍ତି। ସେ ଘଟଣାର ପୀଡ଼ିତା ହୋଇଥିଲେ ମଧ୍ୟ ୧୧ ଦୋଷୀଙ୍କୁ ଛଡ଼ା ଯିବା ସମ୍ପର୍କରେ ତାଙ୍କୁ କୌଣସି ପ୍ରକାରର ସୂଚନା ଦିଆଯାଇ ନଥିଲା। ଆଇନକୁ ଉଲ୍ଲଙ୍ଘନ କରି କ୍ଷମା ନୀତିକୁ କାର୍ଯ୍ୟକାରୀ କରାଯାଇଥିବା ସେ ଆବେଦନରେ କହିଛନ୍ତି।

୨୦୦୨ ମସିହାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍ ବାନୋ ସେତେବେଳେ ୫ ମାସର ଗର୍ଭବତୀ ଥିଲେ। ଗୁଜରାଟର ଲିମଖେଡା ଅଞ୍ଚଳରେ ମବ୍ ଲିଞ୍ଚିଂରେ ବିଲକିସ୍ ବାନୋଙ୍କ ୩ ବର୍ଷର ଝିଅ ସମେତ ୧୪ ଜଣଙ୍କୁ ହତ୍ୟା କରାଯାଇଥିଲା। ଏମାନଙ୍କ ମଧ୍ୟରେ ବାନୋଙ୍କ ପରିବାରର ୭ ଜଣ ୭ ଜଣ ରହିଥିଲେ। ସମସ୍ତଙ୍କୁ ତାଙ୍କ ଆଖି ସାମ୍ନାରେ ହିଁ ହତ୍ୟା କରାଯାଇଥିଲା। ସେହିପରି ୧୧ ଜଣ ଲୋକ ବିଲକିସଙ୍କୁ ଗଣଦୁଷ୍କର୍ମ କରିଥିଲେ।

ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବିଲକିସ୍ ବାନୋଙ୍କୁ ଅଭିଯୁକ୍ତମାନେ ହତ୍ୟା ଧମକ ଦେବା ପରେ ମାମଲାକୁ ଗୁଜରାଟରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର ହୋଇଥିଲା।

ଗତ ୨୦୦୮ ଜାନୁଆରୀ ୨୧ରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ହେଲେ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ୧୧ ଦୋଷୀଙ୍କୁ ଜେଲରୁ ଖଲାସ କରି ଦିଆଯାଇଛି।

Leave A Reply

Your email address will not be published.