ଏନ୍‌ଏଚ୍‌ଏଆଇର ଅଜବ ବ୍ୟବସ୍ଥା : ରାଜ ରାସ୍ତାରେ ପାଚେରି

0

ପୁରୀ : ପୁରୀ-ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥର କାଠପୋଲସ୍ଥିତ ବ୍ରିଜ୍‌ ବର୍ଷେ ତଳୁ ବିପଦସଂକୁଳ ଘୋଷଣା ସରିଲାଣି। ତଥାପି ଏନ୍‌ଏଚ୍‌ଏଆଇ (ଭାରତୀୟ ଜାତୀୟ ରାଜପଥ ସଂସ୍ଥା) ଚୁପ୍‌ ହୋଇ ବସିଛି। ଏ ଭିତରେ ସତକୁ ସତ ଏହି ପୋଲ ଭୁଶୁଡ଼ିବାକୁ ବସିଲାଣି। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏବେ ଏହି ବିପଦସଂକୁଳ ପୋଲ ଉପରେ ଯାତାୟାତ ବନ୍ଦ କରିବା ପାଇଁ ଇଟାର ପା‌ଚେରି ଠିଆ କରିଛନ୍ତି। ମରାମତି ବଦଳରେ ଏନ୍‌ଏଚ୍‌ଏଆଇର ଏଭଳି ଅଜବ ବ୍ୟବସ୍ଥାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ପୁରୀ ସଦର ବ୍ଲକ୍ ମାଳତୀପାଟପୁର ବସଷ୍ଟାଣ୍ଡ ନିକଟ କାଠପୋଲର ଏହି ବ୍ରିଜ୍‌ ବହୁ ପୁରୁଣା। ବର୍ଷେ ତଳେ ଏହି ପୁରାତନ ବ୍ରିଜ୍‌କୁ ଏନ୍‌ଏଚ୍‌ଏଆଇ ଦୁର୍ବଳ ବୋଲି ଘୋଷଣା କରି ସତର୍କ ସୂଚନା ଫଳକ ବି ଲଗାଯାଇଥିଲା। ଏବେ ଏହି ପୋଲ ଭୁଶୁଡ଼ିବା ଅବସ୍ଥାକୁ ଗଲାଣି। ପୋଲ ତଳେ ଲାଗିଥିବା ଗୋଟିଏ ପାର୍ଶ୍ବ ବେରିଂ ଭାଙ୍ଗି ଗୁଣ୍ଡ ହୋଇଯାଇଛି। ଯେଉଁଥିପାଇଁ ପୋଲଟି ଗୋଟିଏ ପାର୍ଶ୍ବକୁ ଦବିଯାଇଛି। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଖବର ଦେବା ପରେ ଏନ୍‌ଏଚ୍‌ଏଆଇ ବାଉଁଶର ବାଡ଼ ପକାଇ ପ୍ରଥମେ ଏହି ରାସ୍ତା ଦେଇ ଯାତାୟାତ ରୋକିବାକୁ ଚେଷ୍ଟା କରିଥିଲା। କ୍ରମେ ଏହି ବାଉଁଶ ବାଡ଼କୁ ହଟାଇ ଲୋକେ ବିପଦସଂକୁଳ ବ୍ରିଜ୍‌ରେ ଯାତାୟାତ କଲେ। ଗତ ତିନି ମାସ ହେଲାଣି ପୋଲଟି ଏହିଭଳି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏବେ ଯେତେବେଳେ ଚାପ ପଡ଼ିଲା ଏନ୍‌ଏଚ୍‌ଏଆଇ ଏହି ବ୍ରିଜ୍‌ର ଗୋଟିଏ ପାର୍ଶ୍ବରେ ଇଟାର ପ୍ରାଚୀର ଠିଆ କରି ଯାତାୟାତକୁ ବନ୍ଦ କରିବାକୁ ଚେଷ୍ଟା କରିଛି।

Leave A Reply

Your email address will not be published.