ପାଓ୍ୱାର କରିଡରରେ କରୋନା: ଆଉ ଜଣେ ମୁଖ୍ୟମନ୍ତ୍ରୀ ସଂକ୍ରମିତ
ବେଙ୍ଗାଳୁରୁ: ମହାମାରୀ ପ୍ରକୋପରେ ରାଜନେତା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ତାମିଲନାଡୁ ରାଜ୍ୟପାଳଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପା । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ସେ ନିଜେ ଗତକାଲି ବିଳମ୍ବିତ ରାତିରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ୟେଦିୟୁରପ୍ପା ଲେଖିଛନ୍ତି, ସେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନୁରୋଧ କରିଛନ୍ତି, ଗତ କିଛି ଦିନ ହେବ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିବା କ୍ୱାରେଣ୍ଟାଇନରେ ରଖିବା ସହ ଟେଷ୍ଟ କରାନ୍ତୁ ।
I have tested positive for coronavirus. Whilst I am fine, I am being hospitalised as a precaution on the recommendation of doctors. I request those who have come in contact with me recently to be observant and exercise self quarantine.
— B.S. Yediyurappa (@BSYBJP) August 2, 2020
୭୭ ବର୍ଷୀୟ ୟେଦିୟୁରପ୍ପା ବର୍ତ୍ତମାନ ମନିପାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ଶୁକ୍ରବାର ଦିନ ସେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭଲ୍ଲାଙ୍କୁ ଭେଟିଥିଲେ । ସେତେବେଳେ କର୍ଣ୍ଣାଟକ ଗୃହ ମନ୍ତ୍ରୀ ବି. ବୋମାଇ ବି ଉପସ୍ଥିତ ଥିଲେ । ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ।