ଆସନ୍ତାକାଲି ଧନୁ ସଂକ୍ରାନ୍ତି, ମୁଆଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ବ୍ୟବସାୟୀ

0

କଟକ: ଆସନ୍ତକାଲି ଧନୁ ସଂକ୍ରାନ୍ତି ବା ମୁଆଁ ସଂକ୍ରାନ୍ତି । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମୁଆଁ ଖାଇବାକୁ ବର୍ଷକୁ ଥରେ ସଭିଏଁ ଅପେକ୍ଷା କରିଥାନ୍ତି । ଧନୁ ସଂକ୍ରାନ୍ତି ପାଇଁ ମୁଆଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି କାରିଗର । ସିଲଭର ସିଟି କଟକରେ ମଧ୍ୟ ମୁଆଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ବ୍ୟବସାୟୀ । ଖାନନଗର ଗୁଡ଼ିଆ ସାହିର ରବିନ୍ଦ୍ରନାଥ ସାହୁଙ୍କ ପରିବାର । ବର୍ଷ ବର୍ଷ ଧରି ଏମାନେ ବିଭିନ୍ନ ରକମର ମୁଆଁ ପ୍ରସ୍ତୁତି କରୁଛନ୍ତି ।

 

ସହରର ବିଭିନ୍ନ ମୁଆଁ ପ୍ରସ୍ତୁତ କରାଯାଇଥାଏ । ହେଲେ ରବିନ୍ଦ୍ରନାଥଙ୍କ ପରିବାର ମୁଆଁର ସ୍ୱାଦ କିଛି ନିଆରା । ଯାହାର ଚାହିଦା ଦିନକୁ ଦିନ ବଢ଼ୁଛି । ଏହି ମୁଆଁକୁ ବିଭିନ୍ନ ପ୍ରଣାଳୀରେ କରାଯାଇଥାଏ । ବିଶେଷ କରି ଭଜା ମୁଆଁ, ଗୁଆଘିଅ ମୁଆଁ, ଗୁଡ଼ ଏବଂ ଚିନିର ଚାରିପ୍ରକାର ମୁଆଁ ପ୍ରସ୍ତୁତ କରାଯାଇଥାଏ । ଭଜା ମୁଆଁ ପ୍ରସ୍ତୁତିରେ ଚିନି, ନଡ଼ିଆ, ଗୋଲମରିଚ, ଅଦା ଆଦିକୁ ପାଗ କରାଯାଇ ଛାଞ୍ଚରେ ଗଢ଼ାଯାଇଥାଏ । ସେହିପରି ଗୁଆଘିଅ ମୁଆଁରେ ଚିନି ଦ୍ୱାରା ପାଗ କରାଯାଇ କମଳା, କାଜୁ, କିସମିସ, ନଡ଼ିଆ, ଗୋଲମରିଚ, ଗୁଜୁରାତି, ଅଳେଇଚ ଗୁଣ୍ଡରେ ପ୍ରସ୍ତୁତ ହୋଇଥାଏ ଭଳିକି ଭଳି ମୁଆଁ ।

 

ମୁଆଁକୁ ନେବା ପାଇଁ କଟକ ସମେତ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଜିଲ୍ଲାର ବହୁ ଲୋକେ ଏହି ସ୍ଥାନକୁ ଆସିଥାନ୍ତି । ପୂର୍ବ ପରମ୍ପରା ବଜାୟ ରଖି ରବିନ୍ଦ୍ରନାଥଙ୍କ ପରିବାର ସଦସ୍ୟ ସହ ପଡ଼ୋଶୀମାନେ ମିଶି ଘରେ ଏହି ମୁଆଁ ପ୍ରସ୍ତୁତ କରିଥାନ୍ତି । ଏଭଳି ଭିନ୍ନ ଭିନ୍ନ ମୁଆଁକୁ ଦୀର୍ଘ ୪୦ବର୍ଷ ହେବ ପ୍ରସ୍ତୁତ କରି ଆସୁଛନ୍ତି ଏହି ପରିବାର । ଯାହାକୁ ଗ୍ରାହକମାନେ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.