ମାଲିକଙ୍କ ଝିଅକୁ ନେଇ କାର ଡ୍ରାଇଭର ଫେରାର

0

ଭୁବନେଶ୍ୱର(୧୦/୦୮): କାର ଡ୍ରାଇଭର ମାଲିକଙ୍କ ଘରେ ରହି ତାଙ୍କ କାର ଚଳାଉଥିଲା । ଅନ୍ୟପଟେ ମାଲିକଙ୍କ ଝିଅକୁ ପ୍ରେମ ଜାଲରେ ଫସାଇ ନେଇ ପଳାଇଲା । ନୂଆପଲ୍ଲୀ ଥାନା ଅଧୀନ ସାଲିଆ ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଝିଅର ପରିବାର ଲୋକେ ଏନେଇ ନୂଆପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଯୁବକ ନାଁରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରିବା ସହ ପ୍ରେମୀ ଯୁଗଳଙ୍କୁ ଧରିବାକୁ ଜୋର୍‌ଦାର୍‌ ଉଦ୍ୟମ ଚଳାଇଛି ।

ସୂଚନା ମୁତାବକ, ସାଲିଆ ସାହିରେ ନୟାଗଡ଼ ଜିଲ୍ଲାର ଜଣେ ଯୁବକ ରହୁଥିଲା । ସେଠାକାର ଜଣେ ବସ୍‌ମାଲିକଙ୍କ ଘରେ ରହି ତାଙ୍କ କାର ଚଳାଉଥିଲା । ମାଲିକଙ୍କ ଝିଅ ଉପରେ ଚାଳକର ନଜର ପଡି଼ଥିଲା । ମାଲିକ ଘରକୁ ଯିବା ଆସିବା କରିବା ବେଳେ ତାଙ୍କ ଝିଅକୁ ପ୍ରେମ ଜାଲରେ ଫସାଇବାକୁ ଢ଼େର ଉଦ୍ୟମ କରିଥିଲା । ପରେ ଦୁହିଁଙ୍କ ସହମତିରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଡ୍ରାଇଭର ଜଣକ ୨ ଦିନ ତଳେ ମାଲିକଙ୍କ ଝିଅକୁ ମାର୍କେଟକୁ ଡକାଇଥିଲା ।

କୌଶଳ କ୍ରମେ ସେ ସେହି ଝିଅକୁ ନେଇ କୁଆଡ଼େ ପଳାଇଥିଲା । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ଆଜି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଚାଳକଜଣକ ତାଙ୍କ ଝିଅକୁ ନୟାଗଡ଼କୁ ନେଇ ଏକ ହୋଟେଲରେ ରଖି ବଳାତ୍କାର କରିଥିବା ସେମାନେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ଗୁରୁତର ସହ ନେଇ ପ୍ରେମୀ ଯୁଗଳଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି । ଏକ ଟିମ୍‌ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ସେପଟେ ଝିଅଟି ସାବାଳିକା ହୋଇଥିବାରୁ ଅଦାଲତରେ ତାଙ୍କର ରେଜେଷ୍ଟ୍ରି ବାହାଘର ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.