ରାଜଧାନୀ ଉପକଣ୍ଠ ହେଲା ବନ୍ୟା ପାଣିରେ ଉବୁଟୁବୁ : ଲୋକ ହେଉଛନ୍ତି ଉଦ୍ଧାର

0

ଭୁବନେଶ୍ୱର(୧୭/୮): ବନ୍ୟା ବିତ୍ପାତରେ ଦେବଦୂତ ସାଜିଛନ୍ତି ଆଗ୍ନିକ । ମଙ୍ଗଳବାର ଦିନକରେ ଜଳବନ୍ଦୀରୁ ପ୍ରାୟ ୪୫ଜଣଙ୍କୁ ଉଦ୍ଧାର କରିସାରିଲେଣି । ସେଥିରୁ ଜଣେ ଗର୍ଭବତୀ ମହିଳା । ପ୍ରାୟ ୩୦ଜଣ ବାଲିପାଟଣା ଓ ସୁନ୍ଦରପଦା ତଳିଆ ଅଞ୍ଚଳରେ ଫସିଥିଲେ । ଅଗ୍ନିଶମ ଦଳର ଉଦ୍ଧାର କାର୍ଯ୍ୟ ବିଳମ୍ବିତ ରାତି ଯାଏଁ ବି ଜାରି ରହିଥିଲା ।

ରାଜଧାନୀ ଓ ଏହା ଉପକଣ୍ଠରେ ୫ଟି ଅଗ୍ନିଶମ ଟିମ୍‌ ସଜାଗ ରହିଛି । ମଙ୍ଗଳବାର ଦ୍ୱିପହରେ ସୁନ୍ଦରପଦା-ଜଟଣୀ ରାସ୍ତାର କ୍ଷେତ୍ରପାଳ ପ୍ରଧାନସାହିରେ ଗୋଟିଏ ଟିମ୍‌ ଯାଇଥିଲା । ବନ୍ୟାଜଳରେ ଫସି ରହିଥିବା ଜଣେ ଗର୍ଭବତୀ, ୨ ଶିଶୁ, ଜଣେ ବୃଦ୍ଧାଙ୍କ ସମେତ ୫ଜଣଙ୍କୁ ବୋଟ୍‌ ଯୋଗେ ଉଦ୍ଧାର ହୋଇଥିଲେ । ସେହି ଅଞ୍ଚଳର ହାଇଟେକ୍‌ ଭିଲ୍ଲାରୁ ୧୫ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଛନ୍ତି । ସେଥିରେ ଅଭିସ୍ପା ପ୍ରିୟଦର୍ଶୀ କର ଓ ତାଙ୍କ କୁନି ଶିଶୁପୁତ୍ର ମଧ୍ୟ ଅଛନ୍ତି ।

ସେହିପରି ବାଲିପାଟଣା ଥାନା ଅଧୀନ ବାଲିସାହିରେ ଅନେକ ଘର ଏବେ ଜଳବନ୍ଦୀରେ । ଅଗ୍ନିଶମ ଟିମ୍‌ ବନ୍ୟାଜଳ ଭେଦି ପ୍ରାୟ ୧୫ ଜଣ ଗ୍ରାମବାସୀଙ୍କୁ ଉଦ୍ଧାର କରି ସାରିଲାଣି । ସେଠାରେ ରାତିବେଳା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁଆଖାଈ ନଦୀ ଜଳରେ ଫସିଥିବା ହରିପୁର ଗ୍ରାମର ଜଣେ ବାସିନ୍ଦା ଓ ତାଙ୍କ ଗୁହାଳରୁ ଏକ ଗାଈକୁ ଉଦ୍ଧାର କରାଯାଇଛି । ସେହିପରି ରାଜଧାନୀରେ ଜଳମଗ୍ନ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ୭ଟି ପାୱାର ପମ୍ପ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.