ଭାରତରେ ରହିଛନ୍ତି କୋଭିଡ-୧୯ର ୧୦ଟି ଭାରିଆଣ୍ଟ! ଆଗକୁ ଆସିପାରେ ନୂଆ ଲହର

0

ନୂଆଦିଲ୍ଲୀ: ବିଏଫ.୭ ଭାରିଆଣ୍ଟକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଜାରି ରହିଛି । ଚୀନ ସମେତ ଅନେକ ଦେଶରେ ଏବେ ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ତେବେ କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ସବ-ଭାରିଆଣ୍ଟ ବିଏଫ.୭କୁ ନେଇ ଏବେ ଭାରତରେ ଚିନ୍ତା ବଢ଼ି ଯାଇଛି । ଏହି ଭାରିଆଣ୍ଟର ପ୍ରଭାବ ଭାରତରେ କିଭଳି ରହିବ ସେନେଇ ବୈଜ୍ଞାନିକ ଓ ଏକ୍ସପର୍ଟମାନେ ମନ୍ତବ୍ୟ ଦେଇଛନ୍ତି ।

ନିକଟରେ ବିଭିନ୍ନ ରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ କ୍ରମାଗତ ଭାବେ ବଢ଼ିବା ସହିତ ଲକ୍ଷ ଲକ୍ଷ କେସ୍ ସାମ୍ନାକୁ ଆସୁଛି । ତେଣୁ ଏହାକୁ ନଜରରେ ରଖି ସାରା ବିଶ୍ୱରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତରେ ଏହି ସ୍ଥିତିର ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଟେଷ୍ଟିଂ, ବୁଷ୍ଟର ଡୋଜ ଓ ବିଦେଶରୁ ଦେଶକୁ ଆସୁଥିବା ଯାତ୍ରୀଙ୍କ ପାଇଁ କଡ଼ା ନିୟମାବଳୀ ଜାରି କରାଯାଇଛି ।

କାଲିଫର୍ଣ୍ଣିଆ ସ୍ଥିତ ସ୍କ୍ରିପସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ତଥ୍ୟ ଅନୁଯାୟୀ, ଚୀନରୁ ସାରା ବିଶ୍ୱରେ ବ୍ୟାପିଥିବା ବିଏଫ.୭ ଭାରିଆଣ୍ଟି ଗତ ୨୦୨୧ ଫେବୃଆରୀ ପରେ ପାଖାପାଖି ୯୦ଟି ଦେଶରେ ପହଞ୍ଚି ସାରିଲାଣି । ଏହି ଭାରିଆଣ୍ଟ ଓମିକ୍ରନର ବିଏ.୫ ସବ-ଭାରିଆଣ୍ଟ ଗ୍ରୁପର ଅଂଶ ଅଟେ । ତେବେ ଭାରତରେ ଏହା ଅଧିକ ଗମ୍ଭୀର ରୂପ ଧାରଣ କରିବ ନାହିଁ । ଅଧିକାଂଶ ଲୋକଙ୍କ ଶରୀରରେ ଡବଲ ଇମ୍ୟୁନିଟି, ନ୍ୟାଚୁରାଲ ଇମ୍ୟୁନିଟି ଓ ଭ୍ୟାକ୍ସିନ ଦ୍ୱାରା ବିକଶିତ ଇମ୍ୟୁନିଟି ରହିଥିବା ବିଶେଷଜ୍ଞ ମତ ଦେଇଛନ୍ତି ।

ଏ ବାବଦରେ ବାୟରୋଲୋଜିଷ୍ଟ ଗଗନଦୀପ କାଙ୍ଗଙ୍କ ମୁତାବକ, ବର୍ତ୍ତମାନ ଭାରତରେ କୋଭିଡର ୧୦ଟି ଭାରିଆଣ୍ଟ ରହିଛନ୍ତି । ଏହାପରେ ବି ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉନାହିଁ । ବିଏଫ-୭ ଭାରିଆଣ୍ଟ ଭାରତ ପାଇଁ ନୂଆ ନୁହେଁ । ପୂର୍ବରୁ ଓମିକ୍ରନର ବିଭିନ୍ନ ସବ-ଭାରିଆଣ୍ଟ କାରଣରୁ କୌଣସି ବଡ଼ ଲହର ଦେଖିବାକୁ ମିଳିନଥିଲା । ତେଣୁ ବିଏଫ.୭ ଭୟଙ୍କର ରୂପ ଧାରଣ କରିବ ନାହିଁ ବୋଲି ଅନୁମାନ କରାଯାଉଛି ।

ଚୀନର ସ୍ଥିତି ଭାରତ ଅପେକ୍ଷା ଅଲଗା । ଚୀନରେ ବୟସ୍କ ଓ ବିନା ବୁଷ୍ଟର ଡୋଜ ଧାରୀ ଅଧିକ ସଂକ୍ରମିତ ହେଉଛନ୍ତି । କାରଣ ସେଠାରେ ଲୋକଙ୍କଠାରେ ପ୍ରାକୃତିକ ଇମ୍ୟୁନିଟ ବହୁତ କମ୍ । ଚୀନରେ ଭ୍ୟାକ୍ସେିନେସନ ପରେ ବି ଲୋକମାନେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି । ଭାରତରେ ବିଏଫ-୭ର ଲକ୍ଷଣ ପରିବର୍ତ୍ତନ ଘଟିବାର ସମ୍ଭାବନା ବହୁତ କମ୍ । ଯଦି କେହି ଏହି ଭାରିଆଣ୍ଟିରେ ସଂକ୍ରମିତ ହିଅନ୍ତି, ତେବେ ହାଲୁକା ଫ୍ଲୁ ପରି ଲକ୍ଷଣ ଦେଖାଦେବା ସହ ବୁଖାର ହୋଇପାରେ । ସଂକ୍ରମିତ ହେବା ପରେ ଘରେ ଆରାମ କରିବା ସହିତ ପାରାସିଟାମଲ ଦ୍ୱାରା ଏହାର ଚିକିତ୍ସା କରାଯାଇପାରିବ । ଭାରତରେ ବିଏଫ-୭ର ଚାରିଟି ମାମଲାରେ ହସ୍ପିଟାଲରେ ଆବଶ୍ୟକତା ପଡ଼ିନାହିଁ ।

ସେହିପରି ବେଙ୍ଗାଲୁରୁ ସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଫର ଜେନେଟିକ୍ସ ଆଣ୍ଡ ସୋସାଇଟିର ଡାକ୍ତର ରାକେଶ ମିଶ୍ରା କହିଛନ୍ତି, ବିଏଫ.୭କୁ ନେଇ ଭାରତବାସୀ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ମାତ୍ର ଏନେଇ ଲୋକମାନେ ମାସ୍କ ପିନ୍ଧିବା ସହିତ ଅନାବଶ୍ୟକ ଭିଡ଼କୁ ଯିବା ଅନୁଚିତ୍ । ଲୋକଙ୍କଠାରେ ଭ୍ୟାକ୍ସିନ ମାଧ୍ୟମରେ ରୋଗ ପ୍ରତିରୋଧକ କ୍ଷମତା ବହୁ ମାତ୍ରାରେ ବିକଶତ ହୋଇସାରିଛି । ଚୀନ ଲୋକଙ୍କଠାରେ ପ୍ରାକୃତିକ ଇମ୍ୟୁନିଟି କମ୍ ଥିବାରୁ ସେଠାରେ ଅଧିକ ବୟସର ଲୋକମାନେ ବେଶି ସଂକ୍ରମିତ ହେଉଛନ୍ତି ।

Leave A Reply

Your email address will not be published.