ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ; ଇସିଙ୍କୁ ମିଳିବ ଇ-ସ୍କୁଟର ପାଇଁ ଋଣ

0

ଭୁବନେଶ୍ୱର: ମିଶନ ଶକ୍ତିରେ ବଜେଟ୍‌ ୨୦୨୩-୨୪ ଆବଣ୍ଟନ ନେଇ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍। ସେ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୩-୨୪ ବଜେଟ୍ ପାଇଁ ମିଶନ ଶକ୍ତି ବିଭାଗ ୨୫୫୪ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଯାହା ଗତ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ବୋଲି ମନ୍ତ୍ରୀ କହିଛନ୍ତି। ଏଥିରେ ସ୍ୱୟଂ ସହାୟିକା ମହିଳାଙ୍କୁ ଅଧିକ ସଶକ୍ତିକରଣ କରାଯିବ।

ପ୍ରତି ଦିଲ୍ଲାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଡ୍ରାଇଭିଂ ଟ୍ରେନିଂ ଦିଆଯିବ। ସେହିପରି ମିଶନ ଶକ୍ତି ସ୍କୁଟର ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଓ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କୁ ଇ-ସ୍କୁଟର ଯୋଗାଇ ଦିଆଯିବ। ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ସୁଧରେ ସ୍କୁଟର ଯୋଗାଇ ଦିଆଯିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରଦା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ହେମ୍ବ୍ରମ କହିଛନ୍ତି ଯେ ମିଶନ ଶକ୍ତି ବିଭାଗ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଉଦ୍ୟୋଗୀରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ଜିଲ୍ଲାରେ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରାଯିବ। ଏଥିପାଇଁ ୧୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସ୍ୱୟଂ ସହାୟିକା ମହିଳାଙ୍କୁ ଉଦ୍ୟୋଗୀ କରି ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ବିନା ସୁଧାରେ ମିଶନ ଶକ୍ତି ଋଣକୁ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏସ୍‌ଏଚ୍‌ଜି ଗ୍ରୁପର ମହିଳାଙ୍କୁ ୧୦ ହଜାର କୋଟିର ବ୍ୟାଙ୍କ ଋଣ ପାଇଁ ୨୨୦ କୋଟି ଟଙ୍କାର ସୁଧ ଛାଡ଼ ବ୍ୟବସ୍ଥା ହୋଇଛି। ମା’ମାନଙ୍କ ବ୍ୟାଙ୍କ ଖାତାକୁ ସିଧାସସଳଖ ସୁଧ ରିହାତି ଫେରସ୍ତ କରାଯାଉଛି ବୋଲି ମନ୍ତ୍ରୀ ହେମ୍ବ୍ରମ କହିଛନ୍ତି।

ସେହିପରି ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ସୂଚନା ଦେଇ କହିଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ତାଲିମ ଜୀବନ ଜୀବିକା ଓ ଦକ୍ଷତାର ବିକାଶ ଦିଗରେ ମିଶନ ଶକ୍ତି ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ବ୍ଲକ୍‌ ସ୍ତରରେ କୃଷି ପ୍ରକ୍ରିୟାକରଣ, ବିୟୁଟି, ଡିଜିଟାଲ୍ ଓ ବିଜ୍‌ନେସ୍ ମ୍ୟାନେଜ୍‌ମେଣ୍ଟ, ଫ୍ୟାସନ୍ ଡିଜାଇନ୍‌, କାଫେ ଓ ଖାଦ୍ୟ ପ୍ରସ୍ତୁତି ତାଲିମ ପାଇଁ ୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Leave A Reply

Your email address will not be published.